ନୟାଗଡ଼:ଓଲଟିଲା ଯାତ୍ରୀବାହୀ ବସ । ଆଜି(ଶୁକ୍ରବାର) ନୂଆଗାଁ ଥାନା ସୋରଡ଼ାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର ଯାଉଥିବା ମଣ୍ଡାସୁର ନାମକ ଏକ ଘରୋଇ ବସ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ଡ୍ରାଇଭର ମୃତ, 30ରୁ ଊର୍ଦ୍ଧ୍ବ ଆହତ:
ସୂଚନାଯୋଗ୍ୟ, ଆଜି ବସଟି କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର ଯାଉଥିବା ସମୟରେ ସୋରଡ଼ା ଠାରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ଵ ଆହତ ହୋଇଥିବା ଜଣାପଡ଼ିଛି । ତେବେ ବସରେ ୪୦ରୁ ଊର୍ଦ୍ଧ୍ଵ ଯାତ୍ରୀ ରହିଥିଲେ ।
ଆହତଙ୍କୁ ନୟାଗଡ-ଦଶପଲ୍ଲା ମେଡିକାଲରେ ଭର୍ତ୍ତି:
ଘଟଣାସ୍ଥଳରେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଓ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଡ୍ରାଇଭରର ମୃତଦେହକୁ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ସେପଟେ କ୍ରେନ ସାହାଯ୍ୟରେ ବସଟିକୁ ଉଠାଯାଇଛି । କେଉଁ କାରଣରୁ ବସଟି ଓଲଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।