ଓଡିଶା

odisha

ETV Bharat / state

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା, ଉତ୍ସବ ମୁଖର କେନ୍ଦୁଝର - ରାମଙ୍କ ପ୍ରାଣ ପ୍ରତିଷ୍ଠା

Sriram Pran Pratishtha: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ଏନେଇ କେନ୍ଦୁଝର ଜିଲ୍ଲାରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ରାମମୟ ହୋଇଛି । ଅଧିକ ପଢ଼ନ୍ତୁ

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା
ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

By ETV Bharat Odisha Team

Published : Jan 22, 2024, 5:25 PM IST

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

କେନ୍ଦୁଝର:ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ଏନେଇ ବିଶ୍ବର କୋଣ ଅନୁକୋଣ ଉତ୍ସବ ମୁଖର ହୋଇ ଉଠିଛି । ଉତ୍ତର ପ୍ରଦେଶର ଅଯୋଧ୍ୟା ଗଗନ ପବନ ପ୍ରକମ୍ପିତ ହୋଇଛି । ଚାରିଆଡେ ଜୟ ଶ୍ରୀରାମ ଧ୍ବନି । ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଶୁଭ ମୁହୂର୍ତ୍ତରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମଲାଲାଙ୍କ ବିଗ୍ରହ । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚିର ସ୍ମରଣୀୟ କରିବା ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରଏସଏସ, ବିଶ୍ଵ ହିନ୍ଦୁ ପରିଷଦ, ବିଜେପି ବ୍ୟତୀତ ବହୁ ସଂଗଠନ ଏଥିପାଇଁ ବହୁ ସାଜସଜ୍ଜା କରିଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲାରେ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ରାମମୟ ହୋଇଛି ।

ସବୁଠି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପୂଜା, ଯଜ୍ଞ, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ କେନ୍ଦୁଝର ସହରର ଟେଲିଫୋନ ଏକ୍ସଚେଞ୍ଜ ହନୁମାନ ମନ୍ଦିର କମିଟି ପକ୍ଷରୁ ସକାଳୁ ୧୦୮ କଳସ ଶୋଭାଯାତ୍ରା କରାଯାଇଥିଲା । ଶତାଧିକ ରାମଭକ୍ତ କଳସ ଧରି ବଡ଼ ଶାସନ ମନ୍ଦିର ପ୍ରାଙ୍ଗଣ ପୋଖରୀରୁ ଜଳ ଉଠାଇ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ସେହିପରି କେନ୍ଦୁଝର ସହରର ସର୍ବ ପୁରାତନ ରାମ ମନ୍ଦିରରେ ମଧ୍ୟ ଏହି ମୁହୂର୍ତ୍ତକୁ ଚିର ସ୍ମରଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳୁ ବୈଦିକ ବ୍ରାହ୍ମଣ ପରିଷଦ ଓ ମନ୍ଦିର କମିଟି ମିଳିତ ଆନୁକୁଲ୍ୟରେ ରାମ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସମସ୍ତ ବୈଦିକ ବ୍ରାହ୍ମଣମାନେ ସକାଳୁ ରୀତିନୀତି ଅନୁଯାୟୀ ହୋମଯଜ୍ଞ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ରାମଲାଲାଙ୍କ ଆଗମନକୁ ନେଇ ନିଆରା କଳାକୃତି, ସୁକ୍ଷ୍ମ କାରୁକାର୍ଯ୍ୟରେ ଫୁଟି ଉଠୁଛି ଉତ୍କଳୀୟ କଳାଭାସ୍କର୍ଯ୍ୟ

ସେପଟେ ଏହା କେନ୍ଦୁଝର ସହରର ପୁରାତନ ରାମ ମନ୍ଦିର ହୋଇଥିବାରୁ ଭକ୍ତଙ୍କ ମନରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା । ହଜାର ହଜାର ଭକ୍ତ ଯଜ୍ଞରେ ସାମିଲ ହେବା ସହ ରାମଙ୍କ ପୂଜାର୍ଚ୍ଚନା କରିଥିଲେ । ବିଶେଷ କରି ଯୁବପୀଢ଼ିଙ୍କ ମଧ୍ୟରେ ରାମଙ୍କ ପୂଜାର୍ଚ୍ଚନା ପାଇଁ ବେଶ ଉତ୍ସାହ ଦେଖାଦେଇଥିଲା । ଏହି ଅବସସରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସନ୍ଧ୍ୟାରେ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ମାଇନିଂ ରୋଡ ସ୍ଥିତ ସମସ୍ତ ଆମିଶ ଦୋକାନ ବନ୍ଦ କରାଯାଇଥିଲା । ଉକ୍ତ ସ୍ଥାନରେ ଯୁବକ ସଂଘ ପକ୍ଷରୁ ଭକ୍ତଙ୍କୁ ମାଗଣା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ରାତି ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details