ଓଡିଶା

odisha

ETV Bharat / state

ଆଉ ଚଳିବନି ଇଂରାଜୀ, ଅଭ୍ୟାସ କଲେ ଓଡ଼ିଆ, ଶାସନ ଚାଲିବ ବଢ଼ିଆ; ରାଜ୍ୟରେ ଓଡ଼ିଆ ଭାଷାରେ ଏଣିକି ସବୁ କାର୍ଯ୍ୟ, ଅଫିସରଙ୍କ ପ୍ରଶିକ୍ଷଣ ଆରମ୍ଭ - Official work in Odia

Official Government Work In Odia Language Training: ୨୪ ବର୍ଷର ଢାଞ୍ଚା ବଦଳାଇ ଏଣିକି ଓଡ଼ିଆରେ କାର୍ଯ୍ୟ କରିବେ ସରକାରୀ କର୍ମଚାରୀ । ସ୍ୱତନ୍ତ୍ର ପ୍ରଶାସନିକ ଶବ୍ଦକୋଷ ସହ ପ୍ରଶିକ୍ଷଣ ଦେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଅଧିକ ପଢ଼ନ୍ତୁ

Official Government Work In Odia Language
Official Government Work In Odia Language (ETV Bharat Odisha)

By ETV Bharat Odisha Team

Published : Aug 6, 2024, 5:46 PM IST

ଭୁବନେଶ୍ବର: ରାଜ୍ୟରେ ଏଣିକି ଆଉ ଇଂରାଜୀରେ ହେବ ନାହିଁ ସରକାରୀ କାର୍ଯ୍ୟ । ଓଡ଼ିଶାରେ ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ । ଥାନା ହେଉ କି ଡାକ୍ତରଖାନା କିମ୍ବା କୃଷି, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ । ସବୁଠାରେ ଓଡିଆରେ ଚାଲିବ ସରକାରୀ କାର୍ଯ୍ୟ । ଓଡ଼ିଆରେ ବିଭିନ୍ନ ସରକାରୀ ନଥିପତ୍ର କାମ କରିବେ ସରକାରୀ କର୍ମଚାରୀ । କାର୍ଯ୍ୟକୁ ଶାଣିତ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ପ୍ରଶିକ୍ଷଣ ଆରମ୍ଭ ହୋଇଛି ।

Official Government Work In Odia Language (ETV Bharat Odisha)

ସରକାରୀ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ:

ଏହି ପ୍ରଶିକ୍ଷଣ ମାଧ୍ୟମରେ ୨୪ ବର୍ଷର ଢାଞ୍ଚାକୁ ବଦଳାଇ ସରକାରୀ କର୍ମଚାରୀ କାର୍ଯ୍ୟ କରିପାରିବେ ତ? ଦୀର୍ଘବର୍ଷ ଧରି ଇଂରାଜୀରେ କାର୍ଯ୍ୟ କରିଆସୁଥିବା ସରକାରୀ କର୍ମଚାରୀ ଓଡ଼ିଆରେ କାର୍ଯ୍ୟ କରିପାରିବେ ତ ? । ଏନେଇ ପ୍ରତିକ୍ରିୟା ରଖି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ କହିଛନ୍ତି, "ଏହି ପ୍ରଶିକ୍ଷଣ ଦ୍ୱାରା ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ସମ୍ଭବ । ଯେଉଁଥିପାଇଁ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ସହ ସ୍ୱତନ୍ତ୍ର ଭାଷାକୋଷର ପୁସ୍ତକ ଦିଆଯାଉଛି । ଏହାଦ୍ୱାରା ସରକାରୀ କର୍ମଚାରୀଙ୍କ ଲେଖା ସହ ପତ୍ରାଳାପ ଶାଣିତ ହେବ ଓ ସ୍ଵତଃ ସେମାନେ ଓଡ଼ିଆରେ ନିଜର ମନ୍ତବ୍ୟକୁ ସ୍ଥାନିତ କରିପାରିବେ । ଏଥିପାଇଁ ପ୍ରଶାସନ ଶବ୍ଦକୋଷ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରକାଶନ ହୋଇଛି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ ବହୁଳ ବ୍ୟବହାର ଚାହିଦା ଆମ ଭିତରେ କିଭଳି ବଢିବ ସେଇ ଲକ୍ଷ୍ୟକୁ ନେଇ ସରକାର ଓଡ଼ିଆରେ ସରକାରୀ କାର୍ଯ୍ୟର ନିଷ୍ପତି ନେଇଥିବା ବେଳେ କେଉଁ ଶବ୍ଦ ବ୍ୟବହାର କରାଯିବା ଓଡ଼ିଆରେ ତାହା ଏହି ଶବ୍ଦକୋଷରେ ସ୍ଥାନିତ ହୋଇଛି । ଯାହା ଲେଖାକୁ ସହଜ କରିବ । ତେଣୁ ଓଡ଼ିଆରେ କାର୍ଯ୍ୟ କରିବା ସମ୍ଭବ ହେବ ।"

୫ ଦିନ ଧରି ହେବ ପ୍ରଶିକ୍ଷଣ:

ଦିଲ୍ଲୀପ ରାଉତରାୟଆହୁରି କହିଛନ୍ତି, "ସବୁଠାରୁ ବଡ କଥା ହେଉଛି । ଆମେ ଓଡ଼ିଆ ଆମର ମାତୃଭାଷା ଓଡ଼ିଆ । ଏହି ପ୍ରଶିକ୍ଷଣ ୫ ଦିନଧରି ହେବାକୁ ଥିବା ବେଳେ କେବଳ ଭୁବନେଶ୍ୱରରେ ନୁହେଁ ସମସ୍ତ ଜିଲ୍ଲାରେ ଏଭଳି ନଥିପତ୍ର ଓଡ଼ିଆରେ କାର୍ଯ୍ୟ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଯେଉଁଥିରେ ଉପବିଭାଗ ଅଧିକାରୀ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର), ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରୀ ), ଉପଶାସନ ସଚିବ (ଡ଼େପୁଟି ସେକ୍ରେଟାରୀ) ସାମିଲ ହୋଇଛନ୍ତି । ସଂସ୍କୃତି ଭବନରେ ଏହି ପ୍ରଶିକ୍ଷଣ ହେଉଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ପ୍ରତିଷ୍ଠିତ ଭାଷାବିତ୍ ତଥା ସାହିତ୍ୟିକମାନେ ଏହି ପ୍ରଶିକ୍ଷଣ ଦେଉଛନ୍ତି । ବୃତ୍ତି ଗତ ଭାଷା ଏବଂ ଶବ୍ଦକୋଷକୁ କିପରି ସୁବିନିଯୋଗ କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଉଛି । ଆଜି ପ୍ରଥମ ଦିନରେ ପ୍ରଥମ ବିଷୟ ଶବ୍ଦ ଭଣ୍ଡାରର ବ୍ୟବହାରିକ ରୂପ ଓ ଓଡ଼ିଆ ଲିଖନର ସାଧାରଣ ଭ୍ରାନ୍ତି ଓ ନିରାକରଣ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଦ୍ୱିତୀୟ ବିଷୟ ପ୍ରଶାସନିକ ଶବ୍ଦ ଚୟନ ଓ ଶବ୍ଦ ଗଠନ ଓ ବନାନ ସୁଧତା ବିଷୟରେ ପ୍ରଶିକ୍ଷଣ ଦିଆ ଯାଇଥିଲା ।

ସବୁ ବିଭାଗରେ ହେବ ଓଡ଼ିଆରେ କାର୍ଯ୍ୟ:

ସେ ଆହୁରି କହିଛନ୍ତି, "ଆଗରୁ କେବଳ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗରେ ଓଡ଼ିଆରେ କାର୍ଯ୍ୟ ହେଉଥିଲା । ବର୍ତ୍ତମାନ ଏହା ସବୁ ବିଭାଗରେ ହେବ । ଆଜି ୧୨୦ରୁ ଊର୍ଦ୍ଧ୍ବ କର୍ମଚାରୀ ସାମିଲ ହୋଇଥିବା ବେଳେ ଆଗକୁ ଏହା ବଢିବ । ଆଗାମୀ ଦିନରେ ସାଧାରଣ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ପ୍ରଶିକ୍ଷଣ ନେବେ । ଯାହାଦ୍ୱାରା ସେ ପତ୍ରାଳାପର ଖାଲି ଯେ, ତଦାରଖ କରିବେ ତାହା ନୁହେଁ, ସେମାନେ ବି ଓଡିଆରେ ସହଜରେ ଲେଖିପାରିବେ । ଅନୁବାଦ ଏକାଡେମ ଦ୍ୱାରା ଏହା ଆହୁରି ସହଜ ହେବ । ଅଣଓଡ଼ିଆ ଅଧିକାରୀ ବି ସହଜରେ ଏହାଦ୍ୱାରା କାର୍ଯ୍ୟ କରିପାରିବେ । ନୂଆ ଢାଞ୍ଚା ପ୍ରାଥମିକ ଭାବେ ଅଡୁଆ ଲାଗିପାରେ, କିନ୍ତୁ ପ୍ରଚେଷ୍ଟା କଲେ ଧୀରେ ଧୀରେ ଏହା ସହଜ ହେବ ।"

ମାନସିକତା ପରିବର୍ତ୍ତନ ହେଲେ ସବୁ ସମ୍ଭବ:

ଅନ୍ୟପଟେ ପ୍ରଶିକ୍ଷକ ତଥା ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟିକାୟତରାୟ କହିଛନ୍ତି, "ମାନସିକତାରେ ପରିବର୍ତ୍ତନ ହେଲେ ଏହା ସହଜ ହେବ । ଆମେ ୨୪ ବର୍ଷ ହେବ କରୁନଥିଲେ ହେଉନଥିଲେ । ବର୍ତ୍ତମାନ ହେବାର ଆବଶ୍ୟକତା ରହିଛି । ମାନସିକତା ପରିବର୍ତ୍ତନ ହେଲେ ଏହା ସମ୍ଭବ । ଆକ୍ଷରିକ ନହେଉ ପ୍ରଚଳିତ ଓଡ଼ିଆରେ ଆଗ ଆରମ୍ଭ କରିବାର ଆବଶ୍ୟକତା ରହିଛି ।"

ବିଶ୍ୱାସ ବଢ଼ାଉଛି ପ୍ରଶିକ୍ଷଣ:

ସଂସ୍କୃତି ବିଭାଗ ଉପବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି, "ଅନେକ ଶବ୍ଦର ଆକ୍ଷରିକ ଓଡ଼ିଆ ଆମେ ବୁଝିପାରୁନାହୁଁ । ଯେପରିକି ଅସ୍ମିତାର ଅର୍ଥ । ଶବ୍ଦକୋଷ ଏହାର ଅର୍ଥ ଅହଂଜ୍ଞାନ କହୁଥିବା ବେଳେ ଏଠାରେ ଆମର ଦୃଢ ପରିଚୟ ବୋଲି କୁହାଯାଉଛି । ତେଣୁ ଆମକୁ ସମୟ ଲାଗିବ । ସେହି ସମୟରେ ଏଭଳି ପ୍ରଶିକ୍ଷଣ ସହାୟକ ସହ ବିଶ୍ୱାସ ବଢ଼ାଉଛି । ସବୁଠାରୁ ବଡ କଥା ହେଉଛି ସରକାରୀ ନିଷ୍ପତି ମାନିବାକୁ ପଡିବ, ପ୍ରାଥମିକ ସ୍ତରରେ କଷ୍ଟ ହେବ କିନ୍ତୁ ନିରନ୍ତର ପ୍ରଚେଷ୍ଟା ଯୋଗୁ ଆମେ କାର୍ଯ୍ୟ କରିପାରିବୁ ବୋଲି ଆଶା ରଖିଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡିଆ ଭାଷାରେ ଫାଇଲ କାମ: ଫେଲ ମାରିଥିଲେ ଜାନକୀ, ପାରିବେ ତ ମୋହନ ସରକାର, କାଗଜପତ୍ରରେ ସୀମିତ ରହିବନି ତ ନିର୍ଦ୍ଦେଶ ? - Official work in Odia language

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details