ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ । ଫଳରେ ପାଗ ଶୁଖିଲା ରହିବା ସହ ବାୟୁ ମଣ୍ଡଳରେ ମାତ୍ରାଧିକ ଆଦ୍ରତା ରହିଛି । ଏହାସହ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରୁ ୪ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ସହ କାଁଭାଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଦୀପାବଳିରେ ଶୁଖିଲା ପାଗ ରହିବ ବୋଲି କହିଛି ପାଣିପାଗ ବିଭାଗ ।
ବିଜୁଳି ଘଡ଼ଘଡ଼ି ଆଲର୍ଟ:
ରାଜ୍ୟରେ ବର୍ଷାର ପ୍ରଭାବ ବିଶେଷ ନ ଥିଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଉଛି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା । ସେପଟେ ୩୧ ତାରିଖ ପରଠାରୁ ବର୍ଷା କିମ୍ବା ଘଡ଼ଘଡ଼ିକୁ ନେଇ ସେଭଳି କିଛି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ ।
ବାତ୍ୟା ପରେ ଆରମ୍ଭ ହେଲାଣି ଗରମ ଗୁଳୁଗୁଳି:
ବାତ୍ୟା ଦାନା ପ୍ରଭାବରେ ରାଜ୍ୟରେ ପାଗ କୋହଲା ଥିବାବେଳେ ବାତ୍ୟା ପରେ ଧିରେ ଧିରେ ଗରମ ଓ ଗୁଳୁଗୁଳିର ପରିମାଣ ବଢ଼ୁଛି । ଗତକାଲି କିଛି ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠି ସର୍ବାଧିକ ୩୫.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ୩୨.୨ ଡିଗ୍ରୀ ସେଲସିୟସ ଓ କଟକରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଫୁଲବାଣୀରେ ସର୍ବନିମ୍ନ ୧୮.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।