ଭୁବନେଶ୍ବର:ରାଜ୍ୟର ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ । ଏଣିକି ଦୁଷ୍କର୍ମ ପୀଡିତାଙ୍କ ଡାକ୍ତରୀ ମାଇନା ଶେଷ ହେବାର ୭ ଦିନ ମଧ୍ୟରେ ଦେବାକୁ ପଡ଼ିବ ରିପୋର୍ଟ । ଡାକ୍ତର ଏହି ରିପୋର୍ଟକୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ । ଏନେଇ ସ୍ବାସ୍ଥ୍ୟ ବିଭାଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି । ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି । ଏହି ନିୟମ ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ପାଇଁ ଲାଗୁ ହେବ ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଡାକ୍ତରୀ ମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ନେବା ଆବଶ୍ୟକ । ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ବୀକୃତି ଜରୁରୀ । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନାରେ ବି ବିଳମ୍ବ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ ରିପୋର୍ଟ ଦେବାକୁ ବାଧ୍ୟ ହେବେ କର୍ତ୍ତୃପକ୍ଷ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଅନୁସାରେ ଏହି ପଦକ୍ଷେପ ନିଆଯିବ । କେତେକ କ୍ଷେତ୍ରରେ ଯଦି ଡାକ୍ତରୀ ମାଇନାରେ ବିଳମ୍ବ ହୁଏ, ସେହି କ୍ଷେତ୍ରରେ ବିଳମ୍ବର ଉଦ୍ଦେଶ୍ୟ ସମ୍ପର୍କରେ ହସ୍ପିଟାଲ୍ ରେଜିଷ୍ଟ୍ରାର ଓ ପରୀକ୍ଷା ରିପୋର୍ଟରେ ତଥ୍ୟ ରଖିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାକ୍ତରୀ ମାଇନାର ଆରମ୍ଭ ଓ ଶେଷ ସମୟ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିବ ।