ଓଡିଶା

odisha

By ETV Bharat Odisha Team

Published : Jan 31, 2024, 8:29 AM IST

ETV Bharat / state

ପ୍ରତି ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା ପାଇଁ ନିଆଯାଉଛି ପଦକ୍ଷେପ: ସଚିବ

World Odia Language Conference: ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ସମୃଦ୍ଧ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ । ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ପାଠାଗାର । ଅଧିକ ପଢନ୍ତୁ

World Odia Language Conference
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଫେବୃଆରୀ ୩ରୁଆରମ୍ଭ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏନେଇ ମଙ୍ଗଳବାର ଲୋକସେବା ଭବନ କନଭେନସନ ସେଣ୍ଟର ସମ୍ମିଳନୀ କକ୍ଷରେ ଭାଷାବିତ୍ ଓ ସାହିତ୍ୟିକମାନଙ୍କ ସହ ଆଲୋଚନା ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଆ ଭାଷାର ପ୍ରାଚୀନତା, ପ୍ରାସଙ୍ଗିକତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏହି ସମ୍ମିଳନୀରେ ବିଚାର ବିମର୍ଶ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ସମ୍ମିଳନୀ ଆୟୋଜନ ହେଉଥିବାରୁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଏଭଳି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସମସ୍ତ ଭାଷାବିତମାନଙ୍କ ଉଦ୍ୟମ ପ୍ରଶଂସନୀୟ । ପ୍ରତି ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି । ସେହିଭଳି ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନିଜର ପାରଦର୍ଶିତା ଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ବୈଠକରେ ସାହିତ୍ୟିକ, ଭାଷାବିତ୍, ନୃତ୍ୟବିତ୍ ଏବଂ ଭାଷାନୁରାଗୀମାନେ ଯୋଗ ଦେଇ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ମତବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ

ଏହି ସମ୍ମିଳନୀ ଅବସରରେ ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଅକ୍ଷରକୁ ନେଇ ଝୋଟି ପକାଇବା, ପ୍ରାଚୀନ ସାହିତ୍ୟକୁ ଲୋକାଭିମୁଖୀ କରିବା, ଯୁଗୋପଯୋଗୀ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଚଳନ, ଶିଶୁ ଲେଖାକୁ ପ୍ରୋତ୍ସାହିତ କରିବା, ଅନ୍ୟ ଭାଷାର ଉପାଦେୟ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବା ଉପରେ ସେମାନେ ମତାମତ ଦେଇଛନ୍ତି । ପାରସ୍ପରିକ ସହଯୋଗରେ ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହୋଇପାରିବ । ଏହାସହ ଏଭଳି ସମ୍ମିଳନୀ ଆୟୋଜନ ପାଇଁ ସରକାରଙ୍କୁ ସେମାନେ ଧନ୍ୟବାଦ ଦେଇଛନ୍ତି ।

ପ୍ରକାଶ ଥାଉକି, ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ । ଏଥିରେ ତିନି ଦିନ ଧରି ଓଡ଼ିଆ ଭାଷାର ଉନ୍ନତି ନେଇ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details