ଭୁବନେଶ୍ବର:ସାଧାରଣ ନିର୍ବାଚନ 2024 ଲାଗି ଆସନ୍ତାକାଲି (ମଙ୍ଗଳବାର) ଭୋଟ ଗଣତି ଓ ଫଳାଫଳ ପ୍ରକାଶ । ଏହିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । 70 କେନ୍ଦ୍ରରେ ଗଣତି ହେବ ଅଢେଇ କୋଟି ମତଦାତାଙ୍କ ମତ । ଭୋଟ ଗଣତି ସକାଳ 8ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଓ ଏହାର ଅଧ ଘଣ୍ଟା ପରେ ଇଭିଏମ ଗଣତି କରାଯିବ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, 2024 ସାଧାରଣ ନିର୍ବାଚନରେ ଅଢେଇ କୋଟି ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରକୁ ମିଶାଇ 76 ହଜାରରୁ ଅଧିକ କଣ୍ଟ୍ରୋଲ ୟୁନିଟ ନିର୍ବାଚନରେ ବ୍ୟବହାର ହୋଇଛି । 70ଟି କେନ୍ଦ୍ରରେ ହେବ ଭୋଟ ଗଣତି । 69ଟି ସେଣ୍ଟରରେ ଇଭିଏମ ଓ ପୋଷ୍ଟାଲ ବାଲାଟ କାଉଣ୍ଟ ହେବ । ଗୋଟିଏ ସ୍ଥାନ ଛତ୍ରପୁରରେ କେବଳ ପୋଷ୍ଟାଲ ବାଲାଟ କାଉଣ୍ଟ ହେବ । ଛତ୍ରପୁରରେ ଥିବା ଇଭିଏମ ୱେୟାର ହାଉସ ଆସିକା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପୋଷ୍ଟାଲ ବାଲାଟ କାଉଣ୍ଟ ହେବ ।
ବର୍ତ୍ତମାନ ସୁଦ୍ଧା ସଂସଦୀୟ କ୍ଷେତ୍ର ପାଇଁ ପ୍ରାୟ 1 ଲକ୍ଷ 47 ହଜାର ପୋଷ୍ଟାଲ ବାଲାଟ ଓ ବିଧାନସଭା ପାଇଁ ପ୍ରାୟ 1ଲକ୍ଷ 46ହଜାର ପୋଷ୍ଟାଲ ବାଲାଟ ହସ୍ତଗତ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ଲେଖାଏଁ ARO କାଉଟିଂ ଲାଗି ରହିବେ । ପ୍ରତ୍ୟେକ ଟେବୁଲରେ 500ଟି ପୋଷ୍ଟାଲ ବାଲାଟ ଗଣତି ହେବ । ଇଭିଏମ ପାଇଁ ଟେବୁଲ ସଂଖ୍ୟା ହେଉଛି 3589 । ବିଧାନସଭା ପାଇଁ 1799 ଓ ସଂସଦୀୟ କ୍ଷେତ୍ର ଲାଗି 1790 କାଉଟିଂ ଟେବୁଲ ବ୍ୟବହାର ହେବ । 20 ଜିଲ୍ଲାପାଳ ହେଉଛନ୍ତି 20 ସଂସଦୀୟ କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର । CDO ଜିଲ୍ଲା ପରିଷଦ ଗଞ୍ଜାମ ହେଉଛନ୍ତି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର । 131 ଜଣ ବିଧାନସଭା କ୍ଷେତ୍ର ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ସେମାନେ ମୁଖ୍ୟତଃ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ।
ସଂସଦୀୟ କ୍ଷେତ୍ର ଲାଗି 517 ଜଣ ଅତିରିକ୍ତ ARO ନିଯୁକ୍ତ ଅଛନ୍ତି । ବିଧାନସଭା କ୍ଷେତ୍ର ଲାଗି 712 ଅତିରିକ୍ତ ARO ନିଯୁକ୍ତ ହୋଇଛନ୍ତି । 60 ଟି ହଲରେ ଉଭୟ ସଂସଦୀୟ ଓ ବିଧାନସଭା କ୍ଷେତ୍ରର ଭୋଟ ଗଣତି କାର୍ଯ୍ୟ ହେବ । 87ଟି ହଲରେ ବିଧାନସଭା ଓ ସଂସଦୀୟ କ୍ଷେତ୍ର ଲାଗି ଅଲଗା ଅଲଗା ଗଣତି ହେବ । ଜାତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଥିପାଇଁ 124 ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି । ପ୍ରତ୍ୟେକ କାଉଟିଂ ଟେବୁଲରେ ଜଣେ କାଉଟିଂ ସୁପରଭାଇଜର, ଜଣେ କାଉଟିଂ ଆସିଷ୍ଟାଣ୍ଟ ଓ ଜଣେ ମାଇକ୍ରୋ ଅବଜରର୍ଭର ରହିବେ । 5077ଜଣ କାଉଟିଂ ସୁପରଭାଇଜର, 5233 ଜଣ କାଉଟିଂ ଆସିଷ୍ଟାଣ୍ଟ ଓ 5396 ଜଣ ମାଇକ୍ରୋ ଅବଜରର୍ଭରଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେମାନଙ୍କର ତାଲିମ ସରିଛି ।
ଏହା ବି ପଢନ୍ତୁ- ବିଜେପି ୨୦୧୯ରେ ଦ୍ବିତୀୟ, ୨୪ରେ ୧ ନମ୍ବର ଦଳ ହୋଇଛି: ସମୀର