ନୂଆଦିଲ୍ଲୀ:ଗୁରୁବାରଠାରୁତିନିଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ଆଜି ରାଜଘାଟ ଯାଇ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗାନ୍ଧିଜୀଙ୍କ ସମାଧୀ ପୀଠ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମାଧୀସ୍ଥଳରେ ମଧ୍ୟ ସେମାନେ ପହଞ୍ଚିଥିଲେ । ସେଠାରେ ମଧ୍ୟ ସେମାନେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେବା ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିଛନ୍ତି ।
ସରକାର ଗଠନ ହେବା ପରେ ଗୁରୁବାରଠାରୁ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ଓ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ନତୀନ ଗଡକରୀଙ୍କ ପରି ବହୁ କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।
କେନ୍ଦ୍ରରେ ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ନିର୍ବାଚନୀ ଘୋଷଣାପତ୍ରର ପ୍ରତିଶ୍ରୁତି ପାଳନ କରିବା ଏବେ ମୋହନ ସରକାର ପାଇଁ ପ୍ରାଥମିକ ଚ୍ୟାଲେଞ୍ଜ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ତମାମ କେନ୍ଦ୍ରୀୟ ନେତାଙ୍କ ସହ ହୋଇଥିବା ଏହି ଆଲୋଚନାରେ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯାଇଥିବା ଚର୍ଚ୍ଚା ହେଉଛି ।