ଓଡିଶା

odisha

ETV Bharat / state

ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’ - Odisha Budget 2024 - ODISHA BUDGET 2024

Odisha Budget 2024: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ଥାନରେ ଏହି ନୂଆ ଯୋଜନା ଆଣିଲେ ମୋହନ ସରକାର । ଏହା ସହ ରାଜ୍ୟରେ ଲାଗୁ ହେଲା ‘ଆୟୁଷ୍ମାନ ଭାରତ’ ଯୋଜନା । କାଳିଆ ଯୋଜନା ମଧ୍ୟ ବଦଳିଲା । ଅଧିକ ପଢନ୍ତୁ

ରାଜ୍ୟରେ ବନ୍ଦ ହେଲା ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଏହି ନୂଆ ସ୍ମିମ ଆଣିଲେ ମୋହନ ସରକାର
ରାଜ୍ୟରେ ବନ୍ଦ ହେଲା ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଏହି ନୂଆ ସ୍ମିମ ଆଣିଲେ ମୋହନ ସରକାର (ETV Bharat Odisha)

By ETV Bharat Odisha Team

Published : Jul 25, 2024, 7:01 PM IST

Updated : Jul 25, 2024, 8:29 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେଲା ନବୀନ ସରକାରଙ୍କ ବହୁଚର୍ଚ୍ଚିତ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ (BSKY) । ଏହାକୁ ବନ୍ଦ କରି,ଏହା ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ମୋହନ ସରକାର । ଏହା ସହ ମୋଦି ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି । ଆଜି ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଏହା ସହକାଳିଆ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ନବୀନ ସରକାର କୃଷକଙ୍କ ପାଇଁ ଆରମ୍ଭ କରିଥିବା କାଳିଆ ଯୋଜନାକୁ ବନ୍ଦ କରିନଥିଲେ ସୁଦ୍ଧା ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହା ଏବେଠାରୁ ‘ସିଏମ କିଷାନ ଯୋଜନା’ ଭାବେ ନାମିତ ହେବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ ହେଲା । ଏହି କେନ୍ଦ୍ରୀୟ ଯୋଜନାରୁ ବାଦ ପଡୁଥିବା ବ୍ୟକ୍ତି କିମ୍ବା ପରିବାରକୁ ରାଜ୍ୟ ସରକାରଙ୍କ ‘ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନା’ରେ ଅନ୍ତର୍ଭୁକ୍ତ କରାଯିବ । ଏହି ରାଜ୍ୟ ସ୍ବାସ୍ଥ୍ୟବୀମା ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ କ୍ୟାସଲେସ ଆକାରରେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ETV Bharat Odisha)

2018ରେ କାର୍ଯ୍ୟକାରୀ ହୋଇଥିଲା BSKY:-

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ 2018 ଅଗଷ୍ଟରେ ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଏପର୍ଯ୍ୟନ୍ତ 4.79 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି । ରାଜ୍ୟର 119.5 ଲକ୍ଷ ପରିବାର ଏହି ଯୋଜନାର ହିତାଧିକାରୀ ରହିଛନ୍ତି । ଏହି ଯୋଜନାରେ ଏପର୍ଯ୍ୟନ୍ତ 3.56 କୋଟି କାର୍ଡଧାରୀ ରହିଛନ୍ତି । ରାଜ୍ୟର ମୋଟ 9ହଜାର 5ଶହ ହସ୍ପିଟାଲରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେଥିମଧ୍ୟରୁ 8 ହଜାର 5ଶହ 30ଟି ସରକାରୀ ହସ୍ପିଟାଲ ଓ ଅବଶିଷ୍ଟ 979ଟି ଘରୋଇ ହସ୍ପିଟାଲ ରହିଛି । ବର୍ତ୍ତମାନ ସୁଦ୍ଧା 2.73 କୋଟି ଚିକିତ୍ସା ମାମଲାରେ ଏହି କାର୍ଡ ବ୍ୟବହାର କରାଯାଇଛି । ଏହି ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ ବାର୍ଷିକ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ଏହାକୁ ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ କେନ୍ଦ୍ରୀୟ ଯୋଜନା ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାର୍ଯ୍ୟକାରୀ କରିନଥିଲା ନବୀନ ସରକାର ।

ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ନୂଆ ସରକାର ‘ବିଏସକେଓ୍ବାଇ’କୁ ବାଦ ଦେବେ ବୋଲି ଚର୍ଚ୍ଚା ହେଉଥିଲା । କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଦ୍ବନ୍ଦ୍ବ ମଧ୍ୟ ଦେଖିବାକୁ ମିଳିଥିଲା । ସେତେବେଳେ ଏହି ଯୋଜନା କାର୍ଯ୍ୟକ୍ଷମ ରହିଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଥିଲା । ଆଜି ମୋହନ ସରକାର ପ୍ରଥମ ବଜେଟରେ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଉଥିବା ଓ ଏହା ପରିବର୍ତ୍ତେ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ନବୀନଙ୍କ ଅମଳରେ ବଜେଟରେ ଆସିଥିଲା ଏହି ନୂଆ ଯୋଜନା, ଯାହା ଥିଲା ଦେଶରେ ପ୍ରଥମ - BUDGET INITIATIVES IN NAVEEN TENURE

ସେହିପରି ନବୀନ ସରକାରଙ୍କ ଚର୍ଚ୍ଚିତ ‘କାଳିଆ ଯୋଜନା’ର ନାମ ପରିବର୍ତ୍ତନ କରାଯାଇଛି । ଏହା ଏବେଠାରୁ ମୁଖ୍ୟମନ୍ତ୍ରୀ କୃଷକ ଯୋଜନା ଭାବରେ କାର୍ଯ୍ୟକାରୀ ହେବ । ନିର୍ବାଚନୀ ଇସ୍ତାହାର ପୂରଣ ସ୍ବରୂପ ମୋହନ ସର କାର ରାଜ୍ୟର ମହିଳାଙ୍କ ପାଇଁ ଶୁଭଦ୍ରା ଯୋଜନା ମଧ୍ୟ ଘୋଷଣା କରିଛନ୍ତି । ଏଥିରେ 10 ହଜାର କୋଟିର ବ୍ୟୟବରାଦ ଘୋଷଣା କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ କାର୍ଯ୍ୟକାରୀ ହେବ ବୋଲି ପୂର୍ବରୁ ମୋହନ ସରକାର ଘୋଷଣା କରିସାରିଛନ୍ତି । ଏହା ସହ ମହିଳା ସଶକ୍ତିକରଣ ଯୋଜନା ‘ମିଶନଶକ୍ତି’କୁ ଜାରି ରଖିବା ସହ ଏଥିରେ ଅର୍ଥ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2024, 8:29 PM IST

ABOUT THE AUTHOR

...view details