ବଲାଙ୍ଗୀର:ରୋଚକ ମୋଡରେ ବଲାଙ୍ଗୀର ରାଜନୀତି । ପ୍ରସଙ୍ଗ ଭିତ୍ତିକ ରାଜନୀତି ଛାଡ଼ି ବ୍ୟକ୍ତିଗତ ସ୍ତରରେ ଲଢେଇ ଦେଖିବାକୁ ମିଳିଛି । ନରସିଂହ ପରିବାର ପାରିବାରିକ କଳିକୁ ଢାଲ କରି ରାଜ ପରିବାରକୁ ଟାର୍ଗେଟ କରୁଥିବା ବେଳେ ଅର୍କେଶ ପାଲଟା ନିଶାନା କରିଛନ୍ତି । ଏପରିକି ବିଧାୟକ ନରସିଂହ ମିଶ୍ରଙ୍କ କଳା କାରନାମା ନେଇ ସୋସିଆଲ ମିଡିଆରେ ଏକ ଚିଠି ପୋଷ୍ଟ କରିଛନ୍ତି ଅର୍କେଶ । ଯାହାକୁ ଆଜି କାଉଣ୍ଟର କରିଛନ୍ତି ନରସିଂହ ପୁଅ ତଥା ବର୍ତ୍ତମାନର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।
ତେବେ ଭାଇରାଲ ହେଉଥିବା ଚିଠିଟି କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଲେଟର ପ୍ୟାଡରେ ଲେଖାଯାଇଥିବା ଏହି ଚିଠିଟି ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାରଜୁନ ଖଡଗେଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଛି । ଯେଉଁଥିରେ ବଲାଙ୍ଗୀର କଂଗ୍ରେସର ସର୍ଭେ ରିପୋର୍ଟ ସହ ବିଧାୟକ ନରସିଂହ ମିଶ୍ରଙ୍କ କଳା କାରନାମା ସମ୍ପର୍କରେ ଲେଖା ଯାଇଛି । ବିଧାୟକ ନରସିଂହ ମିଶ୍ର ଗୁଣ୍ଡାଗର୍ଦ୍ଦି, ଦୁର୍ନୀତି ଓ ଜମି ମାଫିଆଗିରିରେ ଲିପ୍ତ ଥିବା ସହ ଏଥର ଜଣେ ଭୁଲ ବିଧାୟକ ପ୍ରାର୍ଥୀ ଚୟନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବାପା ବିଧାୟକ ନରସିଂହ ମିଶ୍ରଙ୍କ କଳା କାରନାମା ଯୋଗୁଁ ନିର୍ବାଚନ ମଣ୍ଡଳୀରେ ଆଉ ଗ୍ରହଣୀୟ ହୋଇ ପାରୁ ନାହାନ୍ତି ।
ନିଜ ଅଞ୍ଚଳରେ ଅରାଜକତା, ଅପରାଧ, ଗୁଣ୍ଡାଗର୍ଦି ବୃଦ୍ଧି ସହ ଜମି ମାଫିଆଗିରିରେ ପରିବାର ସଦସ୍ୟ ଲିପ୍ତ ରହିଛନ୍ତି । କେବଳ ଏତିକି ନୁହେଁ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ନରସିଂହ ମହିଳାଙ୍କୁ ଭଡାଟିଆ ବୋଲି କହିଥିଲେ । ତାସହ ସହରରେ ମିଥ୍ୟା ବିକାଶ ପ୍ରକଳ୍ପ ନାଁରେ ଗରିବ ଲୋକଙ୍କ ବସ୍ତି ଭାଙ୍ଗି ଥିଲେ । ଯେଉଁଥି ପାଇଁ ଲୋକେ କଂଗ୍ରେସ ଦଳ ବିରୋଧରେ ଥିବା କୁହାଯାଇଛି । ଅର୍କେଶ ଛାଡିଥିବା ଚିଠିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜଣେ ଅନଭିଜ୍ଞ ସହ ଲୋକପ୍ରିୟତା ନଥିବା ଲେଖା ଯାଇଛି ।