ଓଡିଶା

odisha

ETV Bharat / state

ଯାତ୍ରାରେ ବଢୁଛି ଅଶ୍ଲୀଳତା, କାହିଁକି ଟଣାଯାଉନି ଲକ୍ଷ୍ମଣରେଖା ? - VULGARITY RISE IN JATRA

ଯାତ୍ରାରେ ବଢୁଛି ଅଶ୍ଳୀଳତା । ସ୍ୱତନ୍ତ୍ର ନିୟମ ପାଇଁ ନାହିଁ ବିଭାଗ । ଅଶ୍ଲୀଳତାକୁ ବନ୍ଦ କରିବା ଆବଶ୍ୟକ କହିଲେ ସଂସ୍କୃତି ଗବେଷକ । ଅଶ୍ଲୀଳତାକୁ ବୟକଟ କରିବାକୁ ଦାବି ।

ଯାତ୍ରାରେ ବଢୁଛି ଅଶ୍ଳୀଳତା
ଯାତ୍ରାରେ ବଢୁଛି ଅଶ୍ଳୀଳତା (FILE PIC)

By ETV Bharat Odisha Team

Published : Jan 19, 2025, 12:12 PM IST

ଭୁବନେଶ୍ବର:ସମାଜ ପ୍ରତି ଚିନ୍ତା ନାହିଁ । ଅଶ୍ଲୀଳ ନୃତ୍ୟରେ ମଞ୍ଚରେ ନିଆଁ ଲଗାଉଛନ୍ତି କିଛି ନୃତ୍ୟାଙ୍ଗନା । ଯାତ୍ରା ମଞ୍ଚରେ ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ, ଅଶ୍ଲୀଳ ନୃତ୍ୟ ପରିବେଷଣ କରୁଛନ୍ତି । ସରକାର ତାଗିଦ ସତ୍ତ୍ବେ ଏସବୁକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି କିଛି ଯାତ୍ରାପାର୍ଟି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏପଟେ ସରକାର ଗାଇଡଲାଇନ ଆଣିବେ କହି ଚୁପ୍‌ ବସିଛନ୍ତି । ଏସବୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସଂସ୍କୃତି ଗବେଷକ । ଏଥର ଖଣ୍ଡଗିରି ମେଳାରେ ଅଶ୍ଲୀଳତାକୁ ବାରଣ କରାଯାଇଥିବା ବେଳେ ସରକାର କେବେ କଠୋର ଆଇନ ଆଣୁଛନ୍ତି ତାହାକୁ ନେଇ ଉଠୁଛି ପ୍ରଶ୍ନ ?

ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତାକୁ ନା:

ଯାତ୍ରାରେ ବଢୁଛି ଅଶ୍ଳୀଳତା (ETV Bharat Odisha)


ଫେବୃଆରୀ ୪ରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଆଉ ଏହି ମେଳାରେ ଭିନ୍ନ ଭିନ୍ନ କାହାଣୀର ନାଟକକୁ ନେଇ ଯାତ୍ରା ମହାକୁମ୍ଭ ଦେଖିବାକୁ ମିଳିବ । ଯାତ୍ରା ଯାହା ଆମ ସଂସ୍କୃତି ପରମ୍ପରା ଓ କଳା ପଦର୍ଶନର ଏକ ବଡ ପରିଚାୟକ ଆଉ କଳାକାର ପାଇଁ ଗୋଟେ ବଡ ମଞ୍ଚ । ଧିରେ ଧିରେ ଯାତ୍ରାରେ ଅଶ୍ଲୀଳତା ବଢୁଥିବା ବେଳେ ଏଥର କିନ୍ତୁ ସଜାଗ ରହିଛି ପ୍ରଶାସନ । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ରୋକ୍‌ ଲାଗିଛି । ପୂର୍ବରୁ ସରକାର ଅଶ୍ଲୀଳତା ଚାଲିବନି ରୋକ୍‌ ଠୋକ କହୁଥିବା ବେଳେ କିଛି ଯାତ୍ରା ପାର୍ଟି ତାଗିଦ୍‌କୁ ଖୁଲମଖୁଲା ଉଡାଇ ଦେଉଥିବା ନଜିର ରହିଛି ।

ଯାତ୍ରା ଦାୟିତ୍ବ ବୁଝିବାକୁ ବିଭାଗ ନାହିଁ:

ଯାତ୍ରାରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଅଶ୍ଲୀଳ ନୃତ୍ୟ ନୂଆ ମାଧ୍ୟମ ପାଲଟିଛି । ଖୁଲମଖୁଲା ଅଙ୍ଗ ପ୍ରଦର୍ଶନ, ଅଶ୍ଲୀଳ ନୃତ୍ୟ ପରିବେଷଣ କରାଯାଉଛି । ଏହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠୁଛି । ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଏହାକୁ ବାରଣ କରୁଥିବା ବେଳେ ତଥାପି ଲଗାମ ଲଗାଯାଇପାରୁନାହିଁ । ଯାତ୍ରାରେ ଅଶ୍ଲୀଳତା ବଢୁଥିବା ବେଳେ ବଡ଼ କଥା ହେଉଛି ରାଜ୍ୟ ସରକାରଙ୍କର ଯାତ୍ରା ଦାୟିତ୍ୱ ବୁଝିବାକୁ ନିଦ୍ଦିଷ୍ଟ ବିଭାଗ ନଥିବାରୁ ଏନେଇ ସ୍ଵତନ୍ତ୍ର ନିୟମ ଓ କାର୍ଯ୍ୟାନୁଷ୍ଠାନ ନାହିଁ । ତେଣୁ ଏଥିରେ ଅଙ୍କୁଶ ଲଗାଇବା ପାଇଁ କୌଣସି ମାପଦଣ୍ଡ ନାହିଁ ତେଣୁ ସରକାର ବି ହାତ ଟେକି ଦେଉଛନ୍ତି ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଯାତ୍ରା କଳାକାର ରାଣୀ ପଣ୍ଡା (ETV Bharat Odisha)

ଅଶ୍ଲୀଳତାକୁ ବନ୍ଦ କରିବା ଆବଶ୍ୟକ: ସଂସ୍କୃତି ଗବେଷକ

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପଦର୍ଶନକୁ ନେଇ ସଂସ୍କୃତି ଗବେଷକ ପ୍ରଫୁଲ ରଥ କହିଛନ୍ତି, ‘ଅଶ୍ଳୀଳତା ଆମର ସବୁ ମଣିଷର ମନ ଭିତରେ ଅଛି ଆଉ ଏହାର ସଂଜ୍ଞା ନିରୂପଣ ବି ବେଶ କଷ୍ଟଦାୟକ । କିନ୍ତୁ ବର୍ତ୍ତମାନ ଯାତ୍ରା ମଞ୍ଚରେ ଯୋଉଟା ଦେଖିବାକୁ ମିଳୁଛି ତାହା ରତି ଭାବର ଅଶ୍ଳୀଳତା । ଯାହାକୁ ଆମେ ଅଙ୍ଗ ପଦର୍ଶନ ବା ନଗ୍ନ ନୃତ୍ୟ କହୁଛେ । ଏଭଳି ନୃତ୍ୟର ଏକ ନିଦ୍ଦିଷ୍ଟ ସୀମା ବା କ୍ଷେତ୍ର ଅଛି ସର୍ବସାଧାରଣରେ ନୁହେ ।’

ପକ୍ଷପାତିତା ବନ୍ଦ ହେବା ଆବଶ୍ୟକ:

ସେ ଆହୁରି କହିଛନ୍ତି, ‘ଅଶ୍ଳୀଳତାକୁ ନେଇ କେବଳ ତିନି ଜଣଙ୍କୁ କାହିଁକି ଖଣ୍ଡଗିରିକୁ ମନା କରାଯାଇଛି । ଯେଉଁମାନେ ଅଶ୍ଳୀଳତା ଦେଖାଉଛନ୍ତି ସମସ୍ତଙ୍କୁ ବନ୍ଦ କରିବାର ଆବଶ୍ୟକ ରହିଛି ସେ ଯାତ୍ରା ହେଉ ଅବା ସିରିୟଲ । ଅଶ୍ଳୀଳତା ବନ୍ଦ କରିବା ମାନେ ଏହା ବି ନୁହେଁ କି ନିଦ୍ଦିଷ୍ଟ କିଛି ଲୋକଙ୍କୁ ବନ୍ଧନରେ ପକାଇ ଅନ୍ୟକୁ ସ୍ୱାଧୀନତାର ସହ ଛାଡ଼ିଦେବା । ପକ୍ଷପାତିତା ବନ୍ଦ ହେବାର ଆବଶ୍ୟକ ରହିଛି ।’

ଅଙ୍କୁଶ ଲଗାଯିବା ଆବଶ୍ୟକ:

ସେ ଆହୁରି କହିଛନ୍ତି, ‘ଅଶ୍ଳୀଳତା ସମସ୍ତଙ୍କ ଭିତରେ ରହିଛି କିନ୍ତୁ ଯେତେବେଳେ ଏହା ସୀମା ଲଙ୍ଘିବା ସେତେବେଳେ ଏହା ଉପରେ ଅଙ୍କୁଶ ଲଗାଯିବ କଥା । ଖାଲି ଯେ କେବଳ ଯେ ଝିଅ ନୃତ୍ୟ କରୁଛନ୍ତି ତାହା ନୁହେଁ ତାଙ୍କୁ ଉପଯୋଗ କରୁଥିବା ପୁଅ ମାନେ ବି ସମଦାୟୀ ତାଙ୍କ ଉପରେ ବି ରୋକ ଲାଗିବା ଦରକାର । ବିଶେଷକରି ମୁଁ କହିବି ଏହା ଆମ ପରିଚୟ ନୁହେ ଅଙ୍ଗ ବିକି ଟଙ୍କା ରୋଜଗାର କରନ୍ତୁ ନାହିଁ କି ଏଭଳି ନୃତ୍ୟ ପ୍ରଦର୍ଶନ ଆମର ପେଟର ଭୋକକୁ ପ୍ରଶମିତ କରୁଛି ବୋଲି କୁହନ୍ତୁନି । ତେବେ ଯାଇ ଏହା ବନ୍ଦ ହୋଇପାରିବ ।’

ଯାତ୍ରା କଳାକାର ରାଣୀ ପଣ୍ଡା (ETV Bharat Odisha)


‘କାନ୍ଦୁଛନ୍ତି କାହା ଆଖିରୁ ଲୁହ ବାହାରୁନି’


ଏନେଇ ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକକହିଛନ୍ତି, ‘ସମ୍ପ୍ରତି ଯାତ୍ରାରେ ଅଶ୍ଳୀଳତା ବଢୁଛି ଏକଥା ସମସ୍ତେ ଅନୁଭବ କରୁଛନ୍ତୁ ଅର୍ଥାତ ସମସ୍ତେ କାନ୍ଦୁଛନ୍ତି କିନ୍ତୁ କାହା ଆଖିରୁ ଲୁହ ବାହାରୁନି । ନିଶା ନିବାରଣ ଭଳି ଅଶାଳୀନ ନିବାରଣ ଲୋକ ଚାହୁଁଛନ୍ତି ଏହା ହେଇପାରୁନି । ତେଣୁ ଯେଉଁମାନେ ଭାବୁଛନ୍ତି ଯାତ୍ରାରେ ଅଶ୍ଲୀଳତା ବଢୁଛି ସେମାନେ ଯାତ୍ରା ଦେଖିବା ବନ୍ଦ କରିଦିଅନ୍ତୁ । ଅଶ୍ଳୀଳତା ବନ୍ଦ କରିବା ଦିଗରେ ସମସ୍ତେ ଉଦ୍ୟମ କରିବା ଦରକାର । ନହେଲେ ଯାତ୍ରା ଦେଖିବାକୁ ଯାଇ ଆଇଟମ ନୃତ୍ୟ ନାହିଁ ଯାତ୍ରା ପାଣିଚିଆ ହେଇଯାଇଛି ବୋଲି କହିନଥାନ୍ତେ ।’

ସେ ଆହୁରି କହିଛନ୍ତି, ‘ତେଣୁ ଯୁବପିଢ଼ି ନିଜ ପସନ୍ଦର ଯାତ୍ରା ଦେଖନ୍ତୁ । ସେହିପରି ଯାତ୍ରାର ଖର୍ଚ୍ଚ ଓ ଟିକେଟ ଦାମ କମିଟି ବହନ କରିପାରୁନାହିଁ ବୋଲି ଏଭଳି ନୃତ୍ୟ ମାଧ୍ୟମରେ ଟଙ୍କା ରୋଜଗାର କରୁଛି । ଯେଉଁଥି ପାଇଁ ଏଭଳି ନୃତ୍ୟ ବଢିଚାଲିଛି । ଏଥିପାଇଁ ସମସ୍ତଙ୍କୁ ମିଶି ସଚେଚନ ହୋଇ ନିଜ ତରଫରୁ ପ୍ରୟାସ କରିବାର ଅଛି ଆଉ ଏଭଳି ଯାତ୍ରା ବୟକଟ କରିବାର ଅଛି । ଏଦିଗରେ ଖାଲି ନିୟମ ନୁହେଁ ତାର ଅନୁପାଳନ ସହ କାର୍ଯ୍ୟାନୁଷ୍ଠାନ ନେବାର ଅଛି । ଏନେଇ ଆନ୍ଦୋଳନର ଆବଶ୍ୟକ ରହିଛି ।’

ଏହା ମଧ୍ୟ ପଢନ୍ତୁ:

ଯାତ୍ରା ମଞ୍ଚରେ ଚାଲିବନି ଅଶ୍ଲୀଳତା, ଆସୁଛି ଗାଇଡଲାଇନ

ଗୃହରେ ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ, ସେନ୍ସର ବୋର୍ଡ଼ ଗଠନ ପାଇଁ ଦାବି

ଯାତ୍ରାରେ ଅଶ୍ଳୀଳତା, ଆଇନ ମନ୍ତ୍ରୀଙ୍କୁ ଭେଟିଲେ ଦାବିପତ୍ର ଦେଲା ଯାତ୍ରା କମିଟି ମହାସଂଘ

ସ୍ବତନ୍ତ୍ର ବିଭାଗ କରିବାକୁ ପ୍ରସ୍ତାବ:

ସେପଟେ ଏସବୁ ରୋକିବା ପାଇଁ ବିଶେଷ କରି ଏନେଇ ଏକ ସ୍ୱତନ୍ତ୍ର ବିଭାଗ କରାଯାଉ ବୋଲି ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି, ‘ଏନେଇ ଏକ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଉ କାରଣ ଯାତ୍ରାକୁ ଆପଣାଇବାକୁ କେହି ବିଭାଗ ପ୍ରସ୍ତୁତ ନାହାନ୍ତି । ଏଭଳି ସ୍ଥିତିରେ ଏନେଇ ନିୟମ ପ୍ରସ୍ତୁତ କରିବା କିଏ ଆଇନ କାର୍ଯ୍ୟକାରୀ ଓ କାର୍ଯ୍ୟନୁଷ୍ଠାନ ନେବା କିଏ । ତେଣୁ ମନ୍ତ୍ରୀ ବିଭାଗ ନାହିଁ କହି ବସିଗଲେ ହେବନି ଏନେଇ ସ୍ୱତନ୍ତ୍ର ବିଭାଗ କରନ୍ତୁ ।’

ଅଶ୍ଲୀଳତା ଉପରେ ରୋକ ଲଗାଇବାକୁ ମାର୍ଗଦର୍ଶିକା ଆଣିବେ ସରକାର:

ଯାତ୍ରାରେ ବଢିଚାଲିଥିବା ଅଶ୍ଲୀଳତା ଉପରେ ରୋକ ଲଗାଇବାକୁ ମାର୍ଗଦଶିକା ଆଣିବାକୁ ମୋହନ ମାଝୀ ସରକାର ଯୋଜନା କରୁଥିବା ଗତ ଡିସେମ୍ବରରେ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଥିଲେ, ଖୁବଶୀଘ୍ର ସଂସ୍କୃତି ବିଭାଗ ମାର୍ଗଦଶିକା ଆଣିବାକୁ ଯାଉଛି । ଏ ବାବଦରେ କଣ ପଦକ୍ଷେପ ନିଆଯାଇପାରିବ ରାଜ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସଂସ୍କୃତି ବିଭାଗ ପକ୍ଷରୁ କୌଣସି ମାର୍ଗଦର୍ଶିକା ଅଣାଯାଇନାହିଁ ।

ସେନସର ବୋର୍ଡ ଗଠନ ପାଇଁ ବି ଉଠିଛି ଦାବି:

ସିନେମା ପାଇଁ ଯେପରି ସେନସର ବୋର୍ଡ ରହିଛି ଯାତ୍ରା ପାଇଁ ମଧ୍ୟ ସେନସର ବୋର୍ଡ ଗଠନ ପାଇଁ ପୂର୍ବରୁ ଦାବି କରିଥିଲେ ଶାସକ ଦଳର ବିଧାୟକ ବାବୁ ସିଂ । ଏ ସମ୍ପର୍କରେ ଗାଇଡଲାଇନ ଆସିବ ବୋଲି ଭାଷା-ସାହିତ୍ୟ ଓ ସଂସ୍କୃତି ମଧ୍ୟ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଉତ୍ତେଜନା, ଚେୟାର ଫୋପାଡିଲେ ଦର୍ଶକ

ଅଶ୍ଲୀଳ ନୃତ୍ୟକୁ ବିରୋଧ କରୁଛନ୍ତି ଦର୍ଶକ:

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ ବିରୋଧ କରିଆସୁଛନ୍ତି ଦର୍ଶକ । ଯାହାର ଏକ ଉଦାହରଣ ହେଲା ଗତ ଅକ୍ଟୋବର ମାସରେ ଯାଜପୁରରେ ସ୍ବପ୍ନ ମହଲର ଯାତ୍ରା ଚାଲୁଥିବା ବେଳେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ ରାଗି ଯାଇଥିଲେ ଦର୍ଶକ । ନୃତ୍ୟ ପରିବେଷଣ କରୁଥିବା କଳାକାରଙ୍କ ଉପରେ ଚେୟାର ପିଙ୍ଗି ଥିଲେ । ଫଳରେ ଆହତ ହୋଇଥିଲେ କଳାକାର ।

ଯାତ୍ରାରେ ବଢୁଥିବା ଅଶ୍ଲୀଳତା ପାଇଁ ଦାୟୀ କିଏ ?

ଯାତ୍ରାରେ ଅଶ୍ଲୀଳତା ବଢୁଥିବା ବେଳେ ଏଥିପାଇଁ ଦାୟୀ କିଏ । ଯାତ୍ରାପାର୍ଟି ନା ଆଇଟମ ନୃତ୍ୟ ପରିବେଷଣ କରୁଥିବା କଳାକାର ନା ବିନା ବିରୋଧରେ ମଜା ନେଉଥିବା ଦର୍ଶକ । ଏ ପ୍ରଶ୍ନ ଏବେ ସାଧାରଣଲୋକଙ୍କ ମନରେ । ଏଥିପାଇଁ ସମସ୍ତେ ସଚେତନ ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details