ବଲାଙ୍ଗୀର:ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖର୍ଲିକାନୀ ଗାଁ ଜଙ୍ଗଲରୁ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକୁ ଉଦ୍ଧାର କରିବା ପରେ ଗ୍ରାମବାସୀ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
ସୂଚନା ଅନୁସାରେ, ଆଜି ସକାଳୁ ଗାଁର ଜଣେ ମହିଳା ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଶିଶୁ କାନ୍ଦୁଥିବାର ଶୁଣିବାକୁ ପାଇଥିଲେ । ଏହା ପରେ ସେ ସେଠାରେ ଥିବା ଏକ ପ୍ଲାଷ୍ଟିକ ବ୍ୟାଗରୁ ଶିଶୁ କାନ୍ଦୁଥିବାର ଜାଣିବାକୁ ପାଇଥିଲେ । ସେ ଶିଶୁକୁ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଯାହା ପରେ ସଦର ପୋଲିସ୍ ଓ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ ତଥା ଚାଇଲ୍ଡ ଲାଇନ୍ ସଦସ୍ୟ ମାନେ ଯାଇ ଶିଶୁକୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନା ଶିଶୁ ବିଭାଗର ଏସ ଏନସିୟୁରେ ଭର୍ତ୍ତି କରିଛନ୍ତି ।
ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ବେଳେ ନବଜାତ ଶିଶୁଟିକୁ ପ୍ଲାଷ୍ଟିକ ବ୍ୟାଗରେ କେହି ଫିଙ୍ଗି ଦେଇଥିବାର ଅନୁମାନ କରାଯାଉଛି । ସେପଟେ ପୋଲିସ୍ ଏହାର ଅଧିକ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ଏହି ନବଜାତ ଶିଶୁକୁ ଏଭଳି ଜଙ୍ଗଲରେ ଫୋପାଡି ଥିଲା ତାର ତଦନ୍ତ ହେଉ ଓ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଲୋକେ ଦାବି କରିଛନ୍ତି ।