ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସବୁ ଜିଲ୍ଲାରେ ଖୋଲିବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ

New Planetariums And Science Centres: ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ୪ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦଘାଟନ କରିଛନ୍ତି । ୫ଟି ଉପକ୍ରମରେ ନିର୍ମିତ ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ୬.୫ କୋଟି ଟଙ୍କା ଓ ପ୍ଲାନେଟୋରିୟମ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

By ETV Bharat Odisha Team

Published : Feb 29, 2024, 6:41 AM IST

ସବୁ ଜିଲ୍ଲାରେ ଖୋଲିବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ସବୁ ଜିଲ୍ଲାରେ ଖୋଲିବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ୪ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦଘାଟନ କରିଛନ୍ତି । ୫ଟି ଉପକ୍ରମରେ ନିର୍ମିତ ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ୬.୫ କୋଟି ଟଙ୍କା ଓ ପ୍ଲାନେଟୋରିୟମ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ୭ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କୋରାପୁଟ ଜିଲ୍ଲା ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ରାୟଗଡାରେ ପ୍ଲାନେଟୋରିୟମ, କେନ୍ଦୁଝର ଜିଲ୍ଲା ଘଟଗାଁରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ବୌଦ୍ଧ, କେନ୍ଦ୍ରାପଡା, ଝାରସୁଗୁଡା, ଗଜପତି, ନୂଆପଡା ଓ ଜଗତସିଂହପୁର ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି । ଭଦ୍ରକରେ ବିଜ୍ଞାନ କେନ୍ଦ୍ର ଏବଂ ବଲାଙ୍ଗୀର, ସୁନ୍ଦରଗଡ ଓ ଗଞ୍ଜାମରେ ବିଜ୍ଞାନ କେନ୍ଦ୍ର ସହିତ ପ୍ଲାନେଟୋରିୟମ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ...ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ; ବାଲେଶ୍ଵରରେ ୨୨୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ, ଗଡ଼ିଲା ସିଟି ବସ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜ୍ଞାନ ଓ ବିକାଶ ସମତାଳରେ ଆଗକୁ ବଢିଥାଏ । ବିଜ୍ଞାନ ବିନା ବିକାଶ ଅସମ୍ପୂର୍ଣ୍ଣ । ପ୍ରତିଦିନ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଏହାର ବିଶେଷ ଗୁରୁତ୍ବ ରହିଛି । 5T ସ୍କୁଲ ରୂପାନ୍ତରଣରେ ଗତକାଲି ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରି ସ୍ମାର୍ଟ କ୍ଲାସ ରୁମ, ଇ- ଲାଇବ୍ରେରୀ, ମଡର୍ଣ୍ଣ ଲାବୋରଟୋରୀ ଆଦି ବିକାଶ କରାଯାଇଛି । ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବୈଷୟିକ ଜ୍ଞାନକୈଶଳର ବ୍ୟବହାରରେ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଚାହେଁ ମୋ ରାଜ୍ୟର ପିଲାମାନେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଗରେ ରୁହନ୍ତୁ । ଦକ୍ଷ ହୁଅନ୍ତୁ । ଓଡିଶାର ସୁନାମ ବୃଦ୍ଧି କରନ୍ତୁ । ନୂଆ ଓଡିଶା ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ମିଳିତ ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଜୟପୁରରେ ଉପସ୍ଥିତ ଥିଲେ । ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବିଜ୍ଞାନକୁ ଲୋକପ୍ରିୟ କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଉପାଦେୟ ସାବ୍ୟସ୍ତ ହେବ । ଏହି ସମୟୋପଯୋଗୀ ପଦକ୍ଷେପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପିଲାଙ୍କ ସହିତ ସେ ଆଲୋଚନା କରି ବିଜ୍ଞାନ ଶିକ୍ଷା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ସହିତ ସମାଜକୁ ମଧ୍ୟ ପରିବର୍ତ୍ତନ କରିଥାଏ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗପୋଯୋଗୀ ପଦକ୍ଷେପ ପାଇଁ ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details