ଭୁବନେଶ୍ବର:ସେଲଫ ଡ୍ରାଇଭ କାର ସର୍ଭିସରୁ ଆଣୁଥିଲେ ଭଡା । ବଡ ବଡ କର୍ପୋରେଟ ହାଉସରେ ଭଡା ଲଗାଉଥିଲେ । ଭଡା ଦେବା ବଦଳରେ ଭୟ ଦେଖାଇ ଡରାଉଥିଲେ । ଦୀର୍ଘ ଦିନ ଧରି ଏପରି କରି ସେଲଫ ଡ୍ରାଇଭ କାର ସର୍ଭିସ ଏଜେନ୍ସିକୁ ଚୂନ ଲଗାଉଥିବା ଏକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣା ପଛରେ ସମ୍ପୃକ୍ତ ଥିବା ଦୁଇ ମିଡିଲମ୍ୟାନଙ୍କୁ ଗିରଫ କରିଥିବା ବେଳେ ଚର୍ଚ୍ଚିତ ଦଳର ନେତାଙ୍କୁ ଛାଡି ଦେଇଛି ପୋଲିସ ।
ତେବେ କମିଶନରେଟ ପୋଲିସର ଏସିପି ଗୌତମ କିଷାନଙ୍କ ସୂଚନା ମୁତାବକ, ରଜତ କୁମାର ସାହୁ ଓ ସୁରଜ କୁମାର ବିଶୋଇ ନାମକ ଦୁଇ ବ୍ୟକ୍ତି କାର ରେଣ୍ଟାଲ ସର୍ଭିସ ଏଜେନ୍ସସି ଚଲାଉଥିଲେ । ସେମାନେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ଯେ, ଜୌନିକ ବ୍ୟକ୍ତି ଗତ ନଭେମ୍ବର ମାସରୁ ତାଙ୍କ ଠାରୁ ପାଖାପାଖି 9ଟି ଗାଡ଼ି ଭଡ଼ା ସୁତ୍ରରେ ନେଇଛନ୍ତି । ଏହାସହ ଗାଡ଼ି ଭଡାରେ ନେବା ସହ ଭଡ଼ା ମଧ୍ୟ ଦେଉନାହାନ୍ତି । ତେବେ ସେମାନଙ୍କୁ ଯୋଗାଯୋଗ କଲେ ବିଭିନ୍ନ ବାହାନା ଦେଖାଇ ଗାଡ଼ି ଫେରସ୍ତ କରୁନଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଜୈନିକ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ସେମାନେ ନୟାପଲ୍ଲୀ ଥାନାରେ ରିପୋର୍ଟ ଦାଖଲ କରିଥିଲେ ।
ତେବେ ଏହି ରିପୋର୍ଟ ଆଧାରରେ ଦୁଇଟି କେସ୍ 30/2024 ଓ 31/2024ରେ ଆଇପିସିର ଦଫା ୪୨୦ ଓ ୪୦୬ରେ ଦୁଇ ଜଣ ବ୍ୟକ୍ତି ଆର ଟାଟା ରାଓ ଓ ସୁଶାନ୍ତ କୁମାର ସାହୁକୁ ଗିରଫ କରାଯାଇଛି । ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ଜେରା କରିବା ପରେ 9ଟି କାରକୁ ଜବତ କରିଛି ପୋଲିସ । ଏହାସହ ବର୍ତ୍ତମାନ ମିଳିଥିବା ପ୍ରମାଣ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି ଏବଂ କୋର୍ଟ ଚାଲାଣ କରାଯିବ ।
ସେପଟେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚା' ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ଫାଇନାନ୍ସ କର୍ମଚାରୀ ବୋଲି ଜଣାପଡ଼ିଛି । ସେମାନେ ଡିଲମ୍ୟାନ ସାଜି ଜଣେ ନେତାଙ୍କ ପାଖରେ ଗାଡି ପହଞ୍ଚାଉ ଥିଲେ । ଉକ୍ତ ନେତା ଜଣଙ୍କ ଗାଡି ଭଡ଼ାରେ ନେଇ ବିଭିନ୍ନ କର୍ପୋରେଟ ହାଉସ, ସରକାରୀ ଚାକିରିଆ, ପ୍ରତିପତି ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତିଙ୍କ କାରବାରରେ ଲଗାଉଥିଲେ । ତେବେ ଅଭିଯୋଗ ପରେ ମିଡିଲମ୍ୟାନ ସାଜିଥିବା 2 ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏହା ପଛରେ ସମ୍ପୃକ୍ତ ଥିବା ନେତାଙ୍କୁ ପୋଲିସ ପଚରାଉଚରା କରି ଛାଡି ଦେଇଥିବା ଜଣାପଡ଼ିଛି ।