କୋରାପୁଟ:ପେଶାରେ ସୁନାରୀ ହେଲେ ନିଶାରେ ସଂଗୀତକାର । କୋରାପୁଟର ଯୁବକ ଜଣେ ଉତ୍ତମ ସଂଗୀତଜ୍ଞ ଭାବେ ରାଜ୍ୟରେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ଆମେ କହୁଛୁ କୋରାପୁଟର ଜଣେ ଉଦୀୟମାନ ସଙ୍ଗୀତକାର ପି.ବାଲାଜୀଙ୍କ ବିଷୟରେ । ଯୁବ ବୟସରେ ୫୦ରୁ ଊର୍ଦ୍ଧ୍ବ ଭଜନ,ପ୍ରାର୍ଥନା ଓ ଆଧୁନିକ ଗୀତ ରଚନା କରିବା ସହିତ ସ୍ୱର ସଂଯୋଜନା କରିଛନ୍ତି ସେ । ତାଙ୍କ ଦ୍ବାରା ରଚିତ କବିତାର ଧାରା ଓ ସଙ୍ଗୀତର ମାନରେ ପ୍ରଭାବିତ ହୋଇ ରାଜ୍ୟର ସୁନାମଧନ୍ୟ ଗାୟକ ନିଜ କଣ୍ଠଦାନ କରିଥିବା ସେ କହିଛନ୍ତି ।
ସମଗ୍ର ରାଜ୍ୟ ଯେତେବେଳେ କୋରୋନାରେ ଆକ୍ରାନ୍ତ ହୋଇଥିବା ସମୟରେ ପୁରୀରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ବନ୍ଦ କରିବାର ସମ୍ଭାବନାକୁ ଶୁଣି ବାଲାଜୀ ମର୍ମାହତ ହୋଇଥିଲେ । ଅନ୍ତର ନିବୃତ କୋଣରୁ ବାହାରି ଆସିଥିବା ଭାବକୁ ନେଇ ସେ ଲେଖି ଚାଲିଥିଲେ କବିତା ଓ ଦେଇଚାଲିଥିଲେ ସଙ୍ଗୀତ । ଏହି କ୍ରମରେ ପ୍ରସ୍ତୁତ ହୋଇଥିଲା ତାଙ୍କ ପ୍ରଥମ ଗୀତ 'ନନ୍ଦିଘୋଷ ନ ଗଡ଼ିଲେ କେମିତି ହେବ' । ତାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କ କଣ୍ଠରୁ ନିସୃତ ଏହି ହୃଦୟସ୍ପର୍ଶୀ ଗୀତଟି ଶୁଣି ଅନେକଙ୍କ ଆଖିରେ ଲୁହ ଗଡିଯାଇଥିଲା । ତାପରେ ଜଗନ୍ନାଥଙ୍କ କୃପାରୁ ତାଙ୍କ ଲେଖନୀ ବନ୍ଦ ହୋଇନାହିଁ ।
ଅନେକ ହୃଦୟସ୍ପର୍ଶୀ ଗୀତ ରଚନା କରିବା ସହ ସଙ୍ଗୀତ ସଂରଚନା କରି ଖ୍ୟାତି ଅର୍ଜନ କରିଥିଲେ ହେଁ ନିଜ କୌଳିକ ବୃତ୍ତି ପ୍ରତି ଅନ୍ୟାୟ କରିନଥିବା ତାଙ୍କ ପରିବାର ବର୍ଗ ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମରେ ବାଲାଜୀଙ୍କ ଭିଡିଓ ଗୁଡିକର ଆଦର ବୃଦ୍ଧି ପାଉଥିବା ବେଳେ ଏବେ ଏକ ନୂତନ ଓଡ଼ିଆ ଚଳଚିତ୍ରରେ ତାଙ୍କ ଗୀତ ସ୍ଥାନ ପାଇବା କୋରାପୁଟ ଅଞ୍ଚଳରେ ସଙ୍ଗୀତ ସାଧନାରେ ବ୍ରତୀ ଥିବା ଅନେକ କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ବାଲାଜୀ ଆଶା ରଖିଛନ୍ତି ।