ରାଉରକେଲା:ରାଉରକେଲାର ନିଖୋଜ ଆଦିବାସୀ ଚାଷୀଙ୍କ ମୃତ୍ୟୁ ଘଟଣାରେ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ଖୁଲାସା । ଏନେଇ ଗତ ମାର୍ଚ୍ଚ 10ତାରିଖରେ ପରିବାର ଲୋକ ଥାନା ଘେରାଉ ସହ ଦୋଷୀଙ୍କ ଗିରଫ ଦାବି କରିଥିଲେ । ହେଲେ ଏହି ଦାବିକୁ ଆଜି ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।
ତେବେ ସୂଚନା ମୁତାବକ, ନୂଆଗାଁ ବ୍ଳକ ଜାମବେର୍ଣା ନିବାସୀ ଆଦିବାସୀ ଚାଷୀ ମଙ୍ଗଲ ଓରାମ ଗତ ଫେବୃଆରୀ ୨୯ ତାରିଖ ନିଜ ପିକ୍ଅପ୍ ଭ୍ୟାନ ଯୋଗେ ରାଉରକେଲା ଝିରପାଣିକୁ ଆସିଥିଲେ । ହେଲେ ସେହି ଦିନ ଠାରୁ ସେ ଗାଡ଼ି ସହ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ଝିରପାଣି ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ୍ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ମାର୍ଚ୍ଚ 8 ତାରିଖରେ ପରିବାର ଲୋକଙ୍କୁ ଜଣାପଡ଼ିଥିଲା ଯେ ଝାଡ଼ଖଣ୍ଡ ଜୋନ୍ମେରଲା ଖରବଗାଡ଼ାରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା । ଏନେଇ ମୃତଦେହ ଉଦ୍ଧାର ପରେ ୫ ଦିନ କାଳ ମୃତଦେହକୁ ମର୍ଗ ହାଉସରେ ରଖିଥିଲା ଝାଡ଼ଖଣ୍ଡ ପୋଲିସ । କେହି ଦାବିଦାର ନ ଆସିବାରୁ ପୋଲିସ୍ ମାଟି ଖୋଳି ମୃତଦେହ ପୋତି ଦେଇଥିଲା । ଝିରପାଣି ପୋଲିସ୍ ଓ ଚାଷୀଙ୍କ ପରିବାର ଏବଂ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ ।