ଓଡିଶା

odisha

ETV Bharat / state

ଜେଲରୁ MA ପଢ଼ିବେ ମାଓନେତା ସବ୍ୟସାଚୀ - MAOIST LEADER PERSUES MA

ସ୍ନାତକୋତ୍ତର (MA) ପଢ଼ିବେ ମାଓ ନେତା ସବ୍ୟସାଚୀ ପଣ୍ଡା । ବନ୍ଦୀ ସବ୍ୟସାଚୀଙ୍କ ଉଚ୍ଚଶିକ୍ଷା ପାଇଁ ବ୍ରହ୍ମପୁର ମଣ୍ଡଳ କାରାଗାର କରାଯାଇଛି ବ୍ୟବସ୍ଥା ।

Sabyasachi Panda Pursues MA
Sabyasachi Panda Pursues MA (ETV Bharat Odisha)

By ETV Bharat Odisha Team

Published : Nov 20, 2024, 5:48 PM IST

ବ୍ରହ୍ମପୁର: ଦିନେ ରାଜ୍ୟରେ ରହିଥିଲେ ଟପ୍ ମାଓନେତା । ତାଙ୍କ ନାଁ ନାମ ଶୁଣିଲେ ଓଡିଶାରେ ମାଓ କଥା ଉଠୁଥିଲା । ଜଙ୍ଗଲରୁ ଜଙ୍ଗଲ, ଗାଁରୁ ଗାଁକୁ ବୁଲି ମାଓ କାର୍ଯ୍ୟକଳାପକୁ ବୃଦ୍ଧି କରିବା ସହିତ ସରକାର ଏବଂ ପୋଲିସ ପ୍ରଶାସନକୁ ଦେଉଥିଲେ ଚ୍ୟାଲେଞ୍ଜ । ହେଲେ ଗିରଫ ହୋଇ ଜେଲରେ ରହିବା ପରେ ଏବେ ତାଙ୍କର ପାଠପଢା ଚାଲିଛି । ହାତରେ କଲମ ଧରି ପାଠ ପଢିବା ପାଇଁ ଦୃଢ ସଙ୍କଳ୍ପ ନେଇଛନ୍ତି ।

ଗତ କିଛି ବର୍ଷ ତଳେ ବ୍ରହ୍ମପୁର ପୋଲିସ ହାତରେ ଧରାପଡି ବ୍ରହ୍ମପୁରର ମଣ୍ଡଳ କାରାଗାରରେ ରହି ଆସୁଥିବା ଟପ ମାଓନେତା ସବ୍ୟସାଚୀ ପଣ୍ଡା ଏବେ କାରାଗାରରେ ରହି ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ ବିଭାଗରେ ସ୍ନାତକୋତ୍ତର (M.A)ରେ ନାମ ଲେଖିଥିବା ବେଳେ ଏବେ ପରୀକ୍ଷା ଦେବାକୁ ଯାଉଛନ୍ତି । ସେପଟେ ସବ୍ୟସାଚୀଙ୍କୁ ଏହି କ୍ଷେତ୍ରର ସହଯୋଗରେ ହାତ ବଢାଇ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ କରୁଛନ୍ତି ଜେଲ କର୍ତ୍ତୃପକ୍ଷ । ବ୍ରହ୍ମପୁର ଜେଲ କର୍ତ୍ତୃପକ୍ଷ ସବ୍ୟସାଚୀଙ୍କୁ ସମସ୍ତ ପ୍ରକାର କୋର୍ସ ମେଟେରିଆଲ୍ ଏବଂ ଗାଇଡ କରିବା ପାଇଁ ଶିକ୍ଷକ ସମେତ ସମସ୍ତ ପ୍ରକାର ସହଯୋଗ ଯୋଗାଇଥିବା ଜଣାପଡିଛି ।

Sabyasachi Panda Pursues MA (ETV Bharat Odisha)
ଓଏସ୍ଓୟୁରେ ନାମ ଲେଖାଇଲେ ସବ୍ୟସାଚୀ:

ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଏବେ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନରେ ଏମ.ଏ(MA) କରିବାକୁ ଉଦ୍ୟମ ଜାରି ରଖିଛନ୍ତି ସବ୍ୟସାଚୀ ପଣ୍ଡା । ଏଥିପାଇଁ ସେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ଓଏସ୍ଓୟୁ(OSOU)ରେ ନାମ ଲେଖାଇଥିବା କୁହାଯାଇଛି । ବ୍ରହ୍ମପୁର ମଣ୍ଡଳ କାରଗାରର ଅଧୀକ୍ଷକ ଧିରେନ୍ଦ୍ର ନାଥ ବାରିକଙ୍କ କହିବା କଥା "ଜେଲ୍ ଅନ୍ତେବାସୀଙ୍କ ଉଚ୍ଚ ଶିକ୍ଷା ଆଶା ପୂରଣ ପାଇଁ ସରକାର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ (ଓଏସ୍ଓୟୁ) ସହିତ ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ଅପନ୍ ସ୍କୁଲ, ଇଗ୍ନୋ(IGNOU) ଭଳି ଶିକ୍ଷା ଏକ ବିକଳ୍ପ ସୃଷ୍ଟି କରିଛି । ସେଥିପାଇଁ ଜେଲ୍‌ରେ ରହିଥିବା ବନ୍ଦୀ ଓ ବିଚାରାଧୀନ ବନ୍ଦୀମାନେ ଏଭଳି ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁଥିବା ଅନ୍ତେବାସୀଙ୍କୁ ନେଇ ପ୍ରତ୍ୟେକ ବର୍ଷ ପରୀକ୍ଷାଠାରୁ ଆରମ୍ଭ କରି ସେମାନଙ୍କ କ୍ଲାସ କିପରି ହେବ ତାହାକୁ ଗୁରୁତ୍ୱ ଦିଆଯାଇଥାଏ ।"

Sabyasachi Panda Pursues MA (ETV Bharat Odisha)

ଜେଲ୍ ଭିତରେ ଷ୍ଟଡି ସେଣ୍ଟର:

ବ୍ରହ୍ମପୁର ମଣ୍ଡଳ କାରଗାରର ଅଧୀକ୍ଷକ ଧିରେନ୍ଦ୍ର ନାଥ ବାରିକ ଆହୁରି କହିଛନ୍ତି, "ଚଳିତ ଶିକ୍ଷାବର୍ଷରେ ଷ୍ଟେଟ ଓପନ ୟୁନିଭର୍ସିଟିରେ ୪ ଜଣ ଦୋଷୀ ଓ ୨ ଜଣ ୟୁଟିପି (UTP) ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ ବିଭାଗରେ ସ୍ନାତକୋତ୍ତର ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରେ ସବ୍ୟସାଚୀ ପଣ୍ଡା ମଧ୍ୟ ଅଛନ୍ତି । ଜେଲ୍ ଅନ୍ତେବାସୀଙ୍କ ପାଠ ପଢ଼ା ସୁବିଧା ପାଇଁ ଓଏସଓୟୁ ବ୍ରହ୍ମପୁର ମଣ୍ଡଳ କାରାଗାର ଭିତରେ ସ୍ୱତନ୍ତ୍ର ଷ୍ଟଡି ସେଣ୍ଟର ସ୍ଥାପନ କରିଥିବା ବେଳେ ଏହାକୁ ନେଇ ପ୍ରତ୍ୟେକ ବର୍ଷ ଅନ୍ତେବାସୀଙ୍କ ମଧ୍ୟରେ ପାଠ ପଢ଼ିବାର ଆଗ୍ରହ ବଢ଼ୁଛି ।"

ପାଠ ପଢ଼ିବେ ସବ୍ୟସାଚୀ :

Sabyasachi Panda Pursues MA (ETV Bharat Odisha)

ମଣ୍ଡଳ କାରଗାର ଅଧୀକ୍ଷକ ଧିରେନ୍ଦ୍ର ନାଥ ବାରିକଙ୍କ କହିବା ଅନୁସାରେ, ‘ସବ୍ୟସାଚୀ ପଣ୍ଡାଙ୍କ ମନରେ ପାଠ ପଢିବାର ଆଗ୍ରହ ରହିଛି । ନଚେତ ସେ ଏପରି ଜେଲ୍ ମଧ୍ୟରେ ରହି ଏପରି ଉଚ୍ଚ ଶିକ୍ଷା କରିବାକୁ ଆବେଦନ କରିନଥାନ୍ତେ । ଏହାପୂର୍ବରୁ ସେ ଇଗ୍ନୋ ଶିକ୍ଷାରେ (ସ୍ନାତକ) ଗ୍ରାଜୁଏସନ୍ କୋର୍ସ କରିଥିବା ବେଳେ ଅନେକ ସାର୍ଟିଫେକେର୍ଟ କୋର୍ସ କରିଛନ୍ତି । ବର୍ତ୍ତମାନ ପୋଷ୍ଟ ଗାଜୁଏର୍ଟ (ସ୍ନାତକୋତ୍ତର ) ଶିକ୍ଷା ଗ୍ରହଣ କରିବେ ।


ସବ୍ୟସାଚୀଙ୍କ ସହ ଅନେକ ଅନ୍ତେବାସୀ ନାମ ଲେଖାଇଛନ୍ତି:

ବ୍ରହ୍ମପୁର ମଣ୍ଡଳ କାରଗାରରେ ରହି ବନ୍ଦୀ ଜୀବନ ବିତାଉଥିବା କେବଳ ସବ୍ୟସାଚୀ ନୁହନ୍ତି ବରଂ ତାଙ୍କ ଭଳି ଅନେକ ଅନ୍ତେବାସୀ ପ୍ରତ୍ୟେକ ବର୍ଷ ବିଭିନ୍ନ ଶିକ୍ଷାରେ ନାମ ଲେଖାଉଥିବା ଜେଲ ପକ୍ଷରୁ କୁହାଯାଇଛି । ବ୍ରହ୍ମପୁର ମଣ୍ଡଳ କାରାଗାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଓଡିଶା ଷ୍ଟେଟ ଓପେନ୍ ୟୁନିଭର୍ସିଟିରେ ୬ ଜଣ ବନ୍ଦୀ ନାମ ଲେଖାଇଛନ୍ତି । ଏନ.ଆଇ.ଏସରେ ୮୯ ଜଣ ଫର୍ମ ପୂରଣ କରିଥିବା ବେଳେ ୩୮ ଜଣ ପରୀକ୍ଷା ଦେବେ । ସେହିପରି ସିନିୟର ସେକେଣ୍ଡାରୀରେ ୬୨ ଜଣ ଫର୍ମ ଫୂରଣ କରିଥିବା ବେଳେ ୧୨ ଜଣ ପରୀକ୍ଷା ଦେଉଥିବା କୁହାଯାଇଛି । ଫର୍ମ ପୂରଣ ସମୟରେ ଯେଉଁମାନେ ମଣ୍ଡଳ କାରଗାରରେ ରହି ଆବେଦନ କରୁଛନ୍ତି, ଅନେକଙ୍କ ଜାମିନ ପରେ ସେମାନେ ଚାଲି ଯାଉଥିବା ଯୋଗୁଁ ଏହି ସଂଖ୍ୟା ବହୁ ମାତ୍ରାରେ କମି ଯାଉଛି । ଏପରିକି ସାର୍ଟିଫିକେଟ୍ କୋର୍ସରେ ପ୍ରାୟ ୧୨୦ ଜଣ ପରୀକ୍ଷା ଦେବେ । ସ୍ନାତକ (ଗ୍ରାଜୁଏସନ)ରେ ୧୨ ଜଣ, ପୋଷ୍ଟ-ଗ୍ରାଜୁଏସନରେ ୩ ଜଣ ପରୀକ୍ଷା ଦେବେ । ସେହିପରି ଗତବର୍ଷ ଏନ୍.ଆଇ.ଏସରେ ୨୯ ଜଣ ସେକେଣ୍ଡାରୀ ଶିକ୍ଷାରେ ପାସ୍‌ କରିଥିବା ବେଳେ ୯ ଜଣ ସିନିୟର ସେକେଣ୍ଡାରୀରେ ପାସ୍‌ କରିଥିବା ସୂଚନା ଦେଇଛନ୍ତି ମଣ୍ଡଳ କାରାଗାରର ଅଧୀକ୍ଷକ ।

ଏହା ମଧ୍ୟ ପଢ଼ନ୍ତୁ...ଜେଲ୍‌ ଭିତରେ 'ମୁକ୍ତି'ର ସ୍ବର, ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରୁଛନ୍ତି କଏଦୀ - Radio Mukti

ଏହା ମଧ୍ୟ ପଢ଼ନ୍ତୁ...କଏଦୀଙ୍କ ନାଗିନୀ ଡ୍ୟାନ୍ସ ଭିଡ଼ିଓ ଭାଇରାଲ, ସ୍ପଷ୍ଟୀକରଣ ଦେଲେ କାରାଗାର ଅଧୀକ୍ଷକ - koraput jail viral video issue

ପୂର୍ବରୁ ଅନେକ କୋର୍ସ କରିଛନ୍ତି ସବ୍ୟସାଚୀ:

ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି, "ସରକାରାଙ୍କ ବ୍ୟବସ୍ଥା ରହିଛି, ଯେଉଁମାନେ ଜେଲ ଭିତରେ ରହି ପାଠ ପଢ଼ିବାକୁ ଚାହିଁବେ ସେମାନେ ପାଠ ପଢ଼ିପାରିବେ । ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଇତି ମଧ୍ୟରେ ସବ୍ୟସାଚୀ ପଣ୍ଡା ଅନେକ କୋର୍ସ କରି ସାରିଲେଣି । ବର୍ତ୍ତମାନ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ ପାଇଁ ଆବେଦନ କରିଥିବା ବେଳେ ନାମ ଲେଖାଇ ସାରିଲେଣି । ଆଶା କରୁଛୁ ସେ ପରୀକ୍ଷାରେ ମଧ୍ୟ ଭଲ କରିବେ । ସେ ଜଣେ ଶିକ୍ଷିତ ଯୁବକ । ଆଗାମୀ ଦିନରେ ମଣ୍ଡଳ କାରାଗାରରେ ରହିଥିବା ଅନ୍ୟ ବନ୍ଦୀ ଓ ବିଚାରଧିନ ଅନ୍ତେବାସୀମାନେ ବିଭିନ୍ନ ଶିକ୍ଷା ଗ୍ରହଣ କରିବା ପରେ ସେମାନେ ଜେଲରୁ ବାହାରିବା ପରେ ଏହା ସେମାନଙ୍କ ଜୀବନରେ ଅନେକ ସହାୟତା ହେବ ।"

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details