Kendujhar attack (ETV Bharat Odisha) କେନ୍ଦୁଝର: ନିର୍ବାଚନକୁ ନେଇ ପ୍ରଚାର ମଇଦାନ ସରଗରମ ଥିବାବେଳେ ଏହା ମଧ୍ୟରେ ହିଂସା ଘଟଣା ସାମ୍ନାକୁ ଆସିଛି । ଦଳୀୟ ପ୍ରଚାର ଗାଡ଼ି ପାର୍କିଂକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ରହିଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଏହି ଛୁରାମାଡ କରାଯାଇଥିବା ଅଭିଯୋଗ ହୋଇଛି । ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କଟଲପଶି ଗ୍ରାମର ଧରଣୀଧର ମହାନ୍ତଙ୍କ ଦୋକାନ ଆଗରେ ଏକ ରାଜନୈତିକ ଦଳର ପ୍ରଚାର ଗାଡି ଛିଡା ହୋଇଥିଲା । ଦୋକାନ ଆଗରେ ଗାଡି ରଖିବାକୁ ନେଇ ଧରଣୀଧର ଡ୍ରାଇଭରଙ୍କୁ ପ୍ରଶ୍ନ କରିଥିଲେ । ତେବେ ସେଠାରେ ତାଙ୍କ ଶ୍ୱଶୁର ଘର ରହିଥିବା ଡ୍ରାଇଭର ତାଙ୍କୁ ଜଣାଇଥିଲେ । ଏହାପରେ ଏହି ଘଟଣାକୁ ନେଇ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଏହି ସମୟରେ ଡ୍ରାଇଭର ଜଣଙ୍କର ଶ୍ୱଶୁର ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ତାଙ୍କ ପୁଅ ଆସି ଧରଣୀଧରଙ୍କୁ ଧମକାଇବା ସହ ଛୁରାମାଡ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ପଦାରେ ପଡିଲା ଅନ୍ତଃକନ୍ଦଳ, ନାମାଙ୍କନ ଶୋଭାଯାତ୍ରାରେ ମୁହାଁମୁହିଁ ଉମା-ସୁଜିତ ଗୋଷ୍ଠୀ - Internal Conflict In Puri Congress
ଏହି ଛୁରାମାଡ ଯୋଗୁଁ ଧରଣୀଧର ଆହତ ହେବାରୁ ତାଙ୍କୁ ଘର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କୌଣସି ପୂର୍ବ ଶତ୍ରୁତା ନଥିବା ବେଳେ ପୂର୍ଣ୍ଣଚନ୍ଦ୍ର କେଉଁ କାରଣରୁ ତାଙ୍କୁ ଆକ୍ରମଣ କରିଥିଲେ ସେନେଇ ଜାଣି ପାରୁନଥିବା ପ୍ରକାଶ କରିଛନ୍ତି ଆହତ ଧରଣୀଧର । ଆହତ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ଦୋକାନ ସାମ୍ନାରେ ପ୍ରଚାର ଗାଡି ଥିଲା । ଗାଡିରେ ଉତ୍ତରପ୍ରଦେଶ ନମ୍ବର ପ୍ଲେଟ ଥିଲା । ଗାଡିରେ କେବଳ ଡ୍ରାଇଭର ରହିଥିଲେ । ଗାଡି ନେଇ ଇଆଡେ କୁଆଡେ ବୋଲି ପ୍ରଶ୍ନ କରିବାରୁ ଡ୍ରାଇଭର ଜଣକ ଶ୍ବଶୁର ଘର ଆସିଥିବା କହିଥିଲେ । ଏହାମଧ୍ୟରେ ଡ୍ରାଇଭର ଜଣକ ତାଙ୍କ ଶ୍ବଶୁରଙ୍କୁ ଫୋନ କରିଥିଲେ । ତାଙ୍କ ଶ୍ୱଶୁର ଓ ଶାଳକ ଘଟଣାସ୍ଥଳରେ ପହଞ୍ଚି ହଠାତ ପେଟରେ ଛୁରୀ ଭୁସି ଦେଇଥିଲେ । ତେବେ ପୂର୍ବରୁ କିଛି ଶତ୍ରୁତା କିମ୍ବା କଥା କଟାକଟି ହୋଇ ନଥିବା କହିଛନ୍ତି ଧରଣୀଧର ।
ଏନେଇ ବର୍ତ୍ତମାନ ସୁଦ୍ଧା ଝୁମ୍ପୁରା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପରିବାର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧରଣୀଧରଙ୍କ ପରିବାର ଦାବି କରିଛନ୍ତି ।
ଇଟିଭି ଭାରତ, କେନ୍ଦୁଝର