ବାଲେଶ୍ବର: ଚଳିତ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । କେଉଁଠି ଦଳ ତ କେଉଁଠି ପ୍ରାର୍ଥୀଙ୍କୁ ଦେଖି ଲୋକମାନେ ସେମାନଙ୍କ ମତ ସାଵସ୍ତ୍ୟ କରିଛନ୍ତି । ଏହାରି ଭିତରେ ବାଲେଶ୍ୱର ଜିଲ୍ଲାର ଆଠଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ 4 ଟି ବିଜେପି ଏବଂ 4 ଟି ବିଜେଡି ଦଖଲ କରିଛି । ବିଜେଡି ଗଡରେ ବାଜି ମାରିଲା ବିଜେପି । କେଉଁଠି ନା କେଉଁଠି ସାଧାରଣ ଜନତା ଏଥର ସଚେତନମୂଳକ ଭାବେ ପ୍ରାର୍ଥୀ ଚୟନ କରିଥିବା ଆଲୋଚନା ହେଉଛି । ତେବେ ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସିମୁଳିଆରେ ଦଳୀୟ ଅସନ୍ତୋଷ: ପ୍ରଥମତଃ ବାଲେଶ୍ୱର ଜିଲ୍ଲାର ସିମୁଳିଆ, ରେମୁଣା ଏବଂ ବସ୍ତାରେ ବିଜେଡି ମହିଳା କାର୍ଡ ଖେଳିଥିଲା। ବିଜେଡି ପାଖରେ ମହିଳା ଭୋଟ ସବୁ ନିର୍ବାଚନରେ ନିର୍ଣ୍ଣାୟକ ହେଉଥିବା ବେଳେ ଏଥର କିନ୍ତୁ ବିଜେଡି ପାଖରୁ ମୁହଁ ଫେରାଇ ନେଲେ ମହିଳା। ମହିଳାଙ୍କ ପାଇଁ ଅନେକ ଯୋଜନା ସାଙ୍ଗକୁ ମହିଳା ସଶକ୍ତିକରଣ, ମିଶନ ଶକ୍ତି ଭଳି ଯୋଜନା ମହିଳା ମାନଙ୍କୁ ବିଜେଡି ସହ ବାନ୍ଧି ହୋଇ ରହିବା ପାଇଁ ବାଧ୍ୟ କରୁଥିଲା। ମାତ୍ର ଏଥର ଅନେକ ମହିଳା ଭୋଟ ବିଜେପି ଖାତାକୁ ଯାଇଥିବା ଜଣାପଡ଼ିଛି। ସିମୁଳିଆର ମହିଳା ପ୍ରାର୍ଥୀ ହୋଇଥିଲେ ମଧ୍ୟ ସେଠାରେ ପୁରୁଣା ନେତା ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ ନ କରିବା, ସେ ଦଳ ଛାଡିବା ଏବଂ ତାଙ୍କୁ ଦଳର ଜିଲ୍ଲା ସଭାପତି ଭବଏ ଦାଇତ୍ୱ ଦେବା ସ୍ପଷ୍ଟ କରୁଛି ଯେ ବିଜେଡି ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି। ଦଳର ଅନେକ ବରିଷ୍ଠ ନେତା ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କୁ ସମର୍ଥନ କରିଥିବା ବେଳେ ପଦ୍ମଲୋଚନ ସମୁଦାୟ 90676 ଖଣ୍ଡ ଭୋଟ ପାଇ 13 ହଜାର 183 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସୁବାସିନୀ ସାହୁଙ୍କୁ ପରାସ୍ତ କରିଛନ୍ତି।
ସୋରରେ ହୋଇଥିବା କଡା ଟକ୍କର: ସେହିପରି ସୋରରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ମାଧବ ଧଡ଼ା ପୂର୍ବରୁ ବିଜେପିର ପରାଧ୍ୟକ୍ଷ ଥିବା ବେଳେ ସେ ବିଜେଡିରେ ମିଶି ପ୍ରାର୍ଥୀ ହୋଇଥିଲେ। ଏହି କାରଣରୁ ବିଜେଡିର ବିଧାୟକ ଥିବା ପର୍ଶୁରାମ ଧଡ଼ା ବିଜେପିରେ ମିଶି ଶେଷ ମୁହୂର୍ତ୍ତରେ ଟିକଟ ହାତେଇଥିଲେ ମଧ୍ୟ ଦଳର ଅସନ୍ତୋଷ କର୍ମୀମାନଙ୍କୁ ମନେଇ ନ ପାରିବାରୁ ସେ ପରାଜୟ ବରଣ କରିଛନ୍ତି। ହେଲେ ସବୁଠୁ ବଡ଼କଥା ହେଲା ବିଜେଡି ପ୍ରାର୍ଥୀ ମାତ୍ର 802 ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେଉଁଠି ନା କେଉଁଠି ପରିବର୍ତ୍ତନ ପାଇଁ ସାଧାରଣ ଲୋକ ମନ ବଳାଇଥିଲେ। ଅନ୍ୟପଟେ ଏ ଦଳରୁ ସେ ଦଳକୁ ଡିଆଁ ମାରୁଥିବା ନୀଳଗିରି ବିଜେଡି ପ୍ରାର୍ଥୀ ସୁକାନ୍ତ ନାୟକ ଏଥର କିନ୍ତୁ ପରାଜୟର ସ୍ୱାଦ ଚାଖିଛନ୍ତି। ନୀଳଗିରିରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ପାଇଁ ଦାବିଦାର ଥିବା ବେଳେ ସୁକାନ୍ତ ଦଳ ଡେଇଁ ଟିକଟ ହାତେଇ ନେଇଥିଲେ।ଅସନ୍ତୋଷର ବହ୍ନିରେ ଜଳି ଶେଷରେ ସନ୍ତୋଷ ବିଜେପିରୁ ଟିକଟ ନେଇ ନିର୍ବାଚନ ଲଢ଼ିଥିଲେ। ଜନମତ ମଧ୍ୟ ସନ୍ତୋଷଙ୍କ ସପକ୍ଷରେ ଯାଇଥିଲା। ସୁକାନ୍ତଙ୍କୁ ସନ୍ତୋଷ 19 ହଜାର 839 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେଡି କେଉଁଠି ନା କେଉଁଠି ପ୍ରାର୍ଥୀ ଦେବାରେ ଭୁଲ ନିଷ୍ପତ୍ତି ନେଇଥିଲା।
ଏହା ମଧ୍ୟ ପଢନ୍ତୁ:ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ବିଜୟୀ - BJP Candidate won from Remuna