ଓଡିଶା

odisha

ETV Bharat / state

ଓଡ଼ିଶା ନିର୍ବାଚନ ୨୦୨୪; ପ୍ରଥମ ପର୍ଯ୍ୟାୟରେ ପଡିଲା 73% ଭୋଟ୍, ଜାତୀୟ ହାରଠୁ ରାଜ୍ୟରେ ଅଧିକ - First phase polling in Odisha - FIRST PHASE POLLING IN ODISHA

FIRST PHASE POLLING IN ODISHA: ପ୍ରଥମ ପର୍ଯ୍ୟାୟ ମତଦାନରେ ରାଜ୍ୟରେ ୪ ଲୋକସଭା ଆସନ ଓ ୨୮ ବିଧାନସଭା ଆସନରେ ମତଦାନ ଶେଷ । ଇଭିଏମରେ ସିଲ୍‌ ହେଲା ୩୭ ସାଂସଦ ପ୍ରାର୍ଥୀ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । କେମିତି ଥିଲା ଆଜିର ମତଦାନ ବିସ୍ତୃତ ଭାବରେ ପଢନ୍ତୁ

FIRST PHASE POLLING IN ODISHA
FIRST PHASE POLLING IN ODISHA (ETV Bharat Odisha)

By ETV Bharat Odisha Team

Published : May 13, 2024, 10:15 PM IST

ଭୁବନେଶ୍ବର:ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଜି ରାଜ୍ୟର ୪ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଆସୁଥିବା ୨୮ଟି ବିଧାନସଭା ଆସନରେ ପଡ଼ିଥିଲା । ୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିଥିଲେ ୨୪୩ ପ୍ରାର୍ଥୀ । ମତଦାନ ପରେ ଇଭିଏମରେ ସିଲ୍‌ ହୋଇଛି ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ । ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ 73.97 ପ୍ରତିଶତ ମତଦାନ ହୋଇଛି । ଯାହା ଜାତୀୟ ହାରଠୁ ଅଧିକ । ଦେଶରେ ଚତୁର୍ଥ ପର୍ଯ୍ୟାୟରେ 67 ପ୍ରତିଶତ ମତଦାନ ହୋଇଛି ।

FIRST PHASE POLLING (ETV Bharat Odisha)
କେଉଁଠି କେତେ ପ୍ରତିଶତ ମତଦାନ ?
ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟ ପ୍ରତିଶତ
ଭବାନୀପାଟଣା ୬୨.୦୨%
ଧର୍ମଗଡ଼ ୭୦.୦୬%
ଜୁନାଗଡ଼ ୭୦.୪୫%
ଖଡିଆଳ ୭୨.୫୭%
ଲାଞ୍ଜିଗଡ଼ ୬୩.୩୮%
ନର୍ଲା ୭୦.୪୩%
ନୂଆପଡ଼ା ୬୯.୮୩%
ଚିତ୍ରକୋଣ୍ଡା ୬୫.୦୧%
ଡାବୁଗାଁ ୭୧.୩୦%
ଝରିଗାଁ ୬୯.୬୦%
କୋଟପାଡ ୬୫.୬୭%
ମାଲକାନଗିରି ୬୬.୬୦%
ନବରଙ୍ଗପୁର ୭୩.୪୪%
ଉମରକୋଟ ୬୯.୪୦%
ବ୍ରହ୍ମପୁର ୪୭.୯୦%
ଛତ୍ରପୁର ୫୪.୬୫%
ଚିକିଟି ୬୦.୦୪%
ଦିଗପହଣ୍ଡି ୫୯.୨୦%
ଗୋପାଳପୁର ୫୬.୬୫%
ମୋହନା ୬୩.୨୫%
ପାରଳାଖେମୁଣ୍ଡି ୬୪.୨୩%
ବିଷମକଟକ ୬୭.୯୯%
ଗୁଣପୁର ୫୭.୪୪%
ଜୟପୁର ୬୬.୫୮%
କୋରାପୁଟ ୫୫.୩୫%
ଲକ୍ଷ୍ମୀପୁର ୫୮.୬୬%
ପଟାଙ୍ଗୀ ୫୮.୫୦%
ରାୟଗଡ଼ା ୬୩.୨୦%

ଏହା ବି ପଢନ୍ତୁ- ହ୍ୱିଲଚେୟାରରେ ଆସି ଭୋଟ ଦେଲେ ଶତାୟୁ ଭୋଟର ରୁକୁଣା

5 ପ୍ରିଜାଇଡିଂ ଅଫିସର ନିଲମ୍ବିତ:-କାର୍ଯ୍ୟରେ ଅବହେଳା କାରଣରୁ ୫ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ଏହି ୫ଜଣଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ନର୍ଲାର ନିୟୋଜିତ ଥିବା ବେଳେ ଆଉ ୪ଜଣ ଗଞ୍ଜାମ ଜିଲ୍ଲାରେ ନିୟୋଜିତ ଥିଲେ । ଗିରଫ ହୋଇଥିବା ୨ଜଣ ପ୍ରିଜାଇଡିଂ ଅଫିସର ଗଞ୍ଜାମରେ ନିୟୋଜିତ ଥିଲେ । କାର୍ଯ୍ୟରେ ଅବହେଳା ନେଇ ୱେବକାଷ୍ଟିଂରୁ ମିଳିଥିବା ଭିଜୁଆଲ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଭୋଟ ଦେଲେ ଶତାୟୁ ବୃଦ୍ଧା:-ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଶତାୟୁ ବୃଦ୍ଧା । ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗା ଗ୍ରାମର ରୁକୁଣା ବେହେରା । ବୟସ ୧୦୦ରୁ ଅଧିକ ବର୍ଷ ହୋଇଥିବା ବେଳେ ନିଜେ ଚାଲି ପାରୁନାହାନ୍ତି କି ଭଲ ଭାବେ କଥା କହିପାରୁ ନାହାନ୍ତି । ତଥାପି ଭାରତର ଜଣେ ସଚେତନ ନାଗରିକ ଭାବେ ଭୋଟ ଦେଇ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି । ବୃଦ୍ଧା ରୁକୁଣାଙ୍କୁ ହ୍ବିଲ ଚେୟାରରେ ମତଦାନ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଉପସ୍ଥିତ ଅଙ୍ଗନାୱଡି କର୍ମୀ ତାଙ୍କୁ କେନ୍ଦ୍ର ମଧ୍ୟକୁ ଯିବା ଆସିବା ପାଇଁ ସହଯୋଗ କରିଥିଲେ ।

ଉଭୟ ଆନ୍ଧ୍ର-ଓଡ଼ିଶାରେ ଭୋଟ ଦେଲେ କୋଟିଆବାସୀ:-ଆଜି ବିବାଦୀୟ କୋଟିଆ ଅଞ୍ଚଳର ଅଧିବାସୀ ମାନେ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । କୋଟିଆ ପଞ୍ଚାୟତରେ ଓଡିଶା ତରଫରୁ କୋଟିଆ, ତଳ ଗଞ୍ଜେଇପଦର ଭଳି 9ଟି ଗ୍ରାମରେ ମତଦାନ କେନ୍ଦ୍ର ସ୍ଥାପିତ କରାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ତରଫରୁ ବିଵାଦୀୟ 21ଟି ଗ୍ରାମବାସୀଙ୍କ ପାଇଁ ଓଡିଶା-ଆନ୍ଧ୍ର ସୀମାରେ ଥିବା ନେରେଡିବାଲାସା ଓ ଆନ୍ଧ୍ରପ୍ରଦେଶର ସିକାପାରୁରେ ମତଦାନ କେନ୍ଦ୍ର ସ୍ଥାପିତ ହୋଇଥିଲା। ବିଭିନ୍ନ ଗ୍ରାମର ଭୋଟର ପ୍ରଥମେ ଓଡ଼ିଶାର ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ନେରେଡିବାଲାସା ଓ ସିକାପାରୁ ଠାରେ ଆନ୍ଧ୍ର ସରକାରଙ୍କ ଦ୍ବାରା ସ୍ଥାପିତ ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ ।

କୋଟିପତି ବିଧାୟକ ପ୍ରାର୍ଥୀ:-ମୋଟ 243 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 70ଜଣ ପ୍ରାର୍ଥୀ କୋଟିପତି । ଏମାନଙ୍କ ମଧ୍ୟରୁ 33କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ସହିତ ବିଜେଡି ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର ପ୍ରଥମରେ ଅଛନ୍ତି । ଦ୍ବିତୀୟରେ ବିଜେଡି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଅଛନ୍ତି । ଏହି ତାଲିକାର ତୃତୀୟ, ଚତୁର୍ଥ, ପଞ୍ଚମରେ ଯଥାକ୍ରମେ ବିଜେପି ଧର୍ମଗଡ଼ ପ୍ରାର୍ଥୀ ସୁଧିର ରଞ୍ଜନ ପାଟ୍ଟଯୋଶୀ, ବିଜେଡି ଜୁନାଗଡ଼ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ଜୟପୁର ବିଧାୟକ ପ୍ରାର୍ଥୀ ଇନ୍ଦିରା ନନ୍ଦ ଅଛନ୍ତି ।

କୋଟିପତି ସାଂସଦ ପ୍ରାର୍ଥୀ:-ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନରେ ମୋଟ 10 ଜଣ କୋଟିପତି ସାଂସଦ ପ୍ରାର୍ଥୀ ରହିଛନ୍ତି । ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ହେଉଛନ୍ତି ସବୁଠାରୀ ଧନୀ ପ୍ରାର୍ଥୀ । ତାଙ୍କ ସମ୍ପତ୍ତିର ମୂଲ୍ୟ 41କୋଟି 89 ଲକ୍ଷ 1ହଜାର 50 ଟଙ୍କା । 28 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ସହ ଦ୍ବିତୀୟରେ ବ୍ରହ୍ମପୁର ସ୍ବାଧୀନ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ ରହିଛନ୍ତି । ତୃତୀୟରେ ବ୍ରହ୍ମପୁର ଭାରତୀୟ ବିକାଶ ପରିଷଦ ପ୍ରାର୍ଥୀ ରାଜେନ୍ଦ୍ର ଦଳବେହେରା, ଚତୁର୍ଥରେ ନବରଙ୍ଗପୁର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଓ ପଞ୍ଚମରେ କୋରାପୁଟ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଅଛନ୍ତି ।

ପ୍ରମୁଖ ପ୍ରାର୍ଥୀ:-ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜି ମୈଦାନରେ ଅନେକ ହେଭିୱେଟ ନେତା ଥିଲେ । କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥିନୀ ମାଳବିକା ଦେବୀ, କୋରାପୁଟରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା, ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଓ ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ସେହିପରି ପ୍ରମୁଖ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଦିଗପହଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଚିକିଟି କଂଗ୍ରେସ ବିଧାୟକ ପ୍ରାର୍ଥୀ ରବିନ୍ଦ୍ରନାଥ ଦିଆନ ସାମନ୍ତରାୟ, ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପଦେବ, ଧର୍ମଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ, ଜୟପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଓ ନୂଆପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details