ବାଲେଶ୍ବର:ଲୋକସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ 4ଟା 30ରେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ନବୀନ ହେଲିକେପ୍ଟରରୁ ଓହ୍ଲାଇ ସିଧା ସଭାସ୍ଥଳକୁ ଯାଇଥିଲେ । ସେଠାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଜିଲ୍ଲା ବିଜେଡି ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ଲୋକସଭା ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ସମେତ 7ଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନେ ସେମାନଙ୍କ ଅଭିଭାଷଣ ରଖିବା ସହ ବିଜେଡି ସପକ୍ଷରେ ମତଦାନ ପାଇଁ ନିବେଦନ କରିଥିଲେ ।
ଶେଷରେ ନବୀନ ନିଜ ଅଭିଭାଷଣରେ BSKY କାର୍ଡ ଠାରୁ ଆରମ୍ଭ କରି 5-ଟିରେ ରୂପାନ୍ତରଣ ଭଲ ଲାଗୁଛି କି ନାହିଁ ବୋଲି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ । ଏହାସହ ଆସନ୍ତା ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ଵରରେ ବିଜେପି ସାଂସଦଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସେ କିଛି କାମ କରିଥିଲେ କି, କେବଳ ମିଛ କଥା କହି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏଥର ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ଏହାପରେ ଭିକେ ପାଣ୍ଡିଆନ ନିଜର ଅଭିଭାଷଣରେ କହିଥିଲେ ଯେ, ନବୀନ ବାବୁଙ୍କୁ ଆଶୀର୍ବାଦ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରନ୍ତୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ଜୁନ 9 ତାରିଖ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଦସ୍ତଖତ ବିଜୁଳି ବିଲ ଛାଡ଼ ପାଇଁ କରିବେ, ଦ୍ଵିତୀୟ ଦସ୍ତଖତ ବିଜୁ ସ୍ବାସ୍ଥ୍ୟକାର୍ଡ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରିବେ । ମିଶନ ଶକ୍ତି ମହିଳା ମାନଙ୍କୁ 60 ବର୍ଷ ପରେ ଭତ୍ତା ବ୍ୟବସ୍ଥା ତୃତୀୟ ଦସ୍ତଖତ କରିବେ । ଏହାସହ ବାଲେଶ୍ୱର, ଭଦ୍ରକ ଏବଂ ବାରିପଦାକୁ ନେଇ ଏକ ଅର୍ବାନ କ୍ଳଷ୍ଟର କରାଯିବା ।