କଟକ: ସ୍କୁଲରେ ବିଧାୟକ ମନମାନି କରୁଥିବା ଅଭିଯୋଗ । ବିଦ୍ୟାଳୟରେ ସରକାରୀ କାର୍ଯ୍ୟାଳୟ ନିର୍ମାଣକୁ ବିରୋଧ, ତାତିଲେ ଲୋକେ । ଏଭଳି ଏକ ଘଟଣା ଘଟିଛି କଟକ ସହରରେ । ଯୋବ୍ରା ହାଇସ୍କୁଲ ଭିତରେ ଦୁଇଟି ସରକାରୀ ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ ବଢିବା ସହ ଅସନ୍ତୋଷ ଦେଖାଦେଇଛି । ଆଜି(ରବିବାର) ଦିନ ଏହାକୁ ବିରୋଧ କରି ଯୋବ୍ରା ଅଞ୍ଚଳର ଲୋକେ ପ୍ରତିବାଦ କରିଛନ୍ତି । ଏପରିକି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଓ ବର୍ତ୍ତମାନର କଟକ ଚୌଦ୍ଵାର ବିଧାୟକ ଶୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଥିଲା ।
ବିଦ୍ୟାଳୟକୁ ବିଦ୍ୟାର ମନ୍ଦିର କୁହାଯାଉଥିବା ବେଳେ ଏହାରି ଭିତରେ ସରକାରୀ ଅଫିସ ନିର୍ମାଣକୁ ବିରୋଧ କରିଛନ୍ତି ସ୍ଥାନୀୟ କର୍ପୋରେଟରଙ୍କ ସହ ସ୍ଥାନୀୟ ଲୋକେ । ସ୍କୁଲ କ୍ୟାମ୍ପସ ଓ ଖେଳ ପଡ଼ିଆକୁ ଅବରୋଧ କରି କାହିଁକି ସରକାରୀ ଅଫିସ ନିର୍ମାଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ? ସ୍କୁଲ ପଡ଼ିଆରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହେଲେ ଛାତ୍ରଛାତ୍ରୀମାନେ କେଉଁଠି ଖେଳିବେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ଏ ନେଇ ଆଜି ସ୍କୁଲ ସମ୍ମୁଖରେ ପ୍ରତିବାଦ କରିବା ସହ ନିର୍ମାଣ କାମକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
ତେବେ ଏହି ନିର୍ମାଣ ଆରଆଣ୍ଡବି ପକ୍ଷରୁ କରାଯିବାକୁ ଥିବାବେଳେ ଏହାର ମାପଚୁପ ମଧ୍ୟ ହୋଇ ସାରିଛି ବୋଲି କର୍ପୋରେଟର କହିଛନ୍ତି । ତେବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ଓ ବର୍ତ୍ତମାନର କଟକ ଚୌଦ୍ଵାର ବିଧାୟକ ଶୌଭିକ ବିଶ୍ୱାଳଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ଶୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଲୋକେ । ସେପଟେ ଏହି ଘଟଣାକୁ ନେଇ ଉଭୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।