କୋରାପୁଟ:ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କୋରାପୁଟର କୁନି ଗବେଷିକା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି । ସର୍ବଭାରତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ନେଇ ଗତ କିଛି ଦିନ ଧରି ‘ଏଚଡିଏଫସି ଲାଇଫ’ ଓ 'ରେଡ଼ ଏଫଏମ' ଦ୍ୱାରା ଚାଲିଥିବା ଆଭାସି ପ୍ରତିଯୋଗିତାର ଚୂଡାନ୍ତ ସାକ୍ଷାତକାରରେ ପାରମ୍ପରିକ ଧାନ ଓ ମାଣ୍ଡିଆକୁ ସଂରକ୍ଷଣ ପ୍ରକ୍ରିୟା ପାଇଁ କୋରାପୁଟ ଜିଲ୍ଲାର ଜୟପୁରର ଅଷ୍ଟମ ଶ୍ରେଣୀର ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ପ୍ରଥମ ସ୍ଥାନର ଅଧିକାରୀ ହୋଇଛନ୍ତି । ଆୟୋଜକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଗତକାଲି (ଶନିବାର) ଅନୁଷ୍ଠିତ ଏହି ଭର୍ଚ୍ଚୁଆଲ ସାକ୍ଷାତକାରରେ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ବିଚାରକ ମଣ୍ଡଳୀର ପ୍ରଶ୍ନର ଉତ୍ତରରେ ହର୍ଷିତା ନିଜକୁ ଏକ ସାମାଜିକ ବିଜ୍ଞାନୀ ଭାବେ ପ୍ରତିଷ୍ଠିତ କରାଇବାର ସଂକଳ୍ପ ନେଇଥିବା ଜଣାଇଥିଲେ । ପରେ ତାଙ୍କ ଦ୍ବାରା ମିଲେଟ, ଧାନ ଓ ଅନ୍ୟାନ୍ୟ ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ପ୍ରଶ୍ନ କରାଯାଇଥିଲା ଓ ସେ ତା'ର ସଫଳତାର ସହ ଉତ୍ତର ରଖିଥିବା ହର୍ଷିତାଙ୍କ ବାପା ହରେକୃଷ୍ଣ ମହାନ୍ତି କହିଛନ୍ତି । ବିଚାରକଙ୍କ ପ୍ରଶ୍ନର ଉତ୍ତରରେ ହର୍ଷିତା ନିଜର ବିହନ ସଂରକ୍ଷଣ ପ୍ରଣାଳୀ ଓ ଜାତୀୟସ୍ତରରେ ଏହାର ପ୍ରଦର୍ଶନୀ ଜନିତ ଅଭିଜ୍ଞତାକୁ ବର୍ଣ୍ଣନା କରି ବିଚାରକଙ୍କ ଦ୍ବାରା ପ୍ରଥମ ପୁରସ୍କାର ପାଇଁ ଚୟନ ହୋଇଥିଲେ ।
ପିଲାବେଳୁ ବିଭିନ୍ନ ଦେଶରେ ପ୍ରଚଳିତ ମୁଦ୍ରା ସଂଗ୍ରହ କରିବାର ପ୍ରକ୍ରିୟା ଜାରି ରଖି ଏପର୍ଯ୍ୟନ୍ତ ସେ ଦୁଇ ହଜାରରୁ ଅଧିକ ମୁଦ୍ରା ସଂଗ୍ରହ କରିସାରିଛନ୍ତି । ସେହିପରି ବର୍ତ୍ତମାନ ପାରମ୍ପରିକ ଖାଦ୍ୟଶସ୍ୟର ସଂରକ୍ଷଣ ତାଙ୍କୁ ଏକ ନୂତନ ପରିଚୟ ମଧ୍ୟ ଦେଇଛି । ଧାନର ଉତ୍ପତ୍ତିସ୍ଥଳୀ ଓ ମାଣ୍ଡିଆ ଭଳି ବିଭିନ୍ନ ମିଲେଟ ଜାତୀୟ ଶସ୍ୟର ଗନ୍ତାଘର ଭାବେ ପରିଚିତ କୋରାପୁଟ ଜିଲ୍ଲାରେ ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ପାଠପଢାରୁ ସମୟ ବାହାର କରି ଛୁଟି ଦିନରେ ବାପାଙ୍କ ସହ ହର୍ଷିତା ଗାଁ’ ଗଣ୍ଡାରେ ଚାଷୀଙ୍କ ନିକଟକୁ ଯାଉଥିଲେ । ସେମାନେ କରୁଥିବା ବିବିଧ ଚାଷ ପ୍ରଣାଳୀ ଏବଂ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଜାତୀୟ ଫସଲର ବିହନ ସମ୍ପର୍କରେ ପଚାରି ବୁଝିବା ଆରମ୍ଭ କରିଥିଲେ । ସେହି ଚାଷୀଙ୍କଠାରୁ ପାରମ୍ପରିକ ବିହନ ସଂଗ୍ରହ କରି ନିଜ ଘରେ ଛୋଟ ଛୋଟ ଡବା ଓ ପ୍ୟାକେଟରେ ଭର୍ତ୍ତି କରି ସାଇତି ରଖିଛନ୍ତି ।