ବୌଦ୍ଧ:ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା । ବୌଦ୍ଧଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ପାଇଁ ଆଜି ମଧ୍ୟ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏବେ ମଧ୍ୟ ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଉପରେ ନିର୍ଭରଶୀଳ । ତେବେ ଜିଲ୍ଲାର ଦୁଇଟି ଡାକ୍ତରଖାନା ଆମ ହସ୍ପିଟାଲରେ ରୂପାନ୍ତରିତ ହୋଇଥିବା ବେଳେ ଗତକାଲି ମଧ୍ୟ ଅନେକ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଲୋକେ ।
ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ବୌଦ୍ଧର ମୁଖ୍ୟ ଚିକିତ୍ସାଳୟ ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ଼ ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା କେବଳ ବୌଦ୍ଧ ଡ଼ାକ୍ତରଖାନାକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନଥିବା ଅଭିଯୋଗ ହୋଇଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ସମସ୍ୟା ହେତୁ ସେସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି ।
ଅନ୍ୟପଟେ ଗତ ସୋମବାର ଦିନ ରାଜ୍ୟ ସରକାର ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନା ଓ କଣ୍ଟାମାଳ ଡାକ୍ତରଖାନାକୁ ଆମ ହସ୍ପିଟାଲରେ ରୂପାନ୍ତରିତ କରିଛନ୍ତି । କିନ୍ତୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ଥିବା ଡାକ୍ତର, କର୍ମଚାରୀଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି । ସେହିପରି ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ବାରମ୍ବାର ଅଞ୍ଚଳର ଲୋକମାନେ ଦାବି କରୁଛନ୍ତି । ହେଲେ ରାଜ୍ୟ ସରକାର ହରଭଙ୍ଗାବାସୀଙ୍କ ଦାବିକୁ ଆଣ ଦେଖା କରୁଥିବା ଅଭିଯୋଗ ହୋଇଛି ।