କୋରାପୁଟ:ରାଜ୍ୟସ୍ତରୀୟ ଆଦିବାସୀ ମହୋତ୍ସବ 'ପରବ-୨୦୨୪' । ଏହି ଆଦିବାସୀ ଲୋକ ମହୋତ୍ସବ ଅବସରରେ କୋରାପୁଟର ରଙ୍ଗବାଲି କୁମ୍ଭାରେ ନିକଟସ୍ଥ ନୂତନ ପରବ ପଡିଆରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଛି । କୋରାପୁଟ ସମେତ ରାଜ୍ୟ ଓ ରାଜ୍ଯ ବାହାରର ବ୍ୟବସାୟୀମାନେ ନିଜ ନିଜ ଉତ୍ପାଦିତ ସାମଗ୍ରୀ ଆଣି ବିକ୍ରି କରି ବେସ ଲାଭବାନ ହୋଇଛନ୍ତି । ମେଳାର ୪ର୍ଥ ଦିନ ସୁଦ୍ଧା ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି ।
ବ୍ୟବସାୟିକ ମଞ୍ଚ ପଲ୍ଲୀଶ୍ରୀ ମେଳା:
ତେବେ ପଲ୍ଲୀଶ୍ରୀ ମେଳାରେ କୋରାପୁଟ ଅଞ୍ଚଳର ମାଣ୍ଡିଆ, ସୁଆଁ ଓ ଅଦାରୁ ତିଆରି ବିଭିନ୍ନ ଖାଦ୍ୟ ସାଙ୍ଗକୁ କଫି, ମାଣ୍ଡିଆ ଚାହା, କୃଷି ଯନ୍ତ୍ରପାତି, ମାଟିର ଜିନିଷ, କାଗଜ ମଣ୍ଡରୁ ତିଆରି ବିଭିନ୍ନ କଳାକୃତି ଗ୍ରାହକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଆଦିବାସୀ ଲୋକ ମହୋତ୍ସବ ପରବ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରି ଆସୁଥିବା ବେଳେ ଏହାସହ କାନ୍ଧରେ କାନ୍ଧ ମିଳାଇ ଆୟୋଜିତ ହେଉଥିବା ପଲ୍ଲୀଶ୍ରୀ ମେଳା କ୍ଷୁଦ୍ର ଏବଂ ମଧ୍ୟମ ସ୍ତରର ବ୍ୟବସାୟୀ, ଉତ୍ପାଦକ, କାରିଗର, ଚିତ୍ରଶିଳ୍ପୀ, ବୁଣାକାର ଓ କୁମ୍ଭାରଙ୍କ ପାଇଁ ଉନ୍ନତମାନର ବ୍ୟବସାୟିକ ମଞ୍ଚ ପ୍ରଦାନ କରିଛି । ସେହିପରି ଗ୍ରାହକମାନଙ୍କୁ ମଧ୍ୟ ମଧ୍ୟ ଗୋଟିଏ ଜାଗାରୁ ଭଳିକି ଭଳି ଜିନିଷ କିଣିବାର ସୁବିଧା ମିଳିଛି ।
ରେକର୍ଡ କଲା ବ୍ୟବସାୟ:
କୋରାପୁଟରେ ୧୯୯୬ ମସିହାରେ ଆରମ୍ଭ ହୋଇଥିବା ପରବ ସହିତ ନିଜକୁ ସାମିଲ କରିଛି ପଲ୍ଲୀଶ୍ରୀ ମେଳା । ନିଜ କଳେବର ଵୃଦ୍ଧି କରି ଚଳିତ ବର୍ଷ କୋରାପୁଟ ଭଳି ଉପାନ୍ତ ଅଞ୍ଚଳର ଏକ ଛୋଟ ସହରରେ ଓରମାସର ସହଯୋଗରେ ୩୫୦ରୁ ଅଧିକ ଷ୍ଟଲ ଖୋଲି ବ୍ୟବସାୟ କରିବା ପାଇଁ ସୁଯୋଗ ପ୍ରଦାନ କରିପାରିଛି । ସ୍ୱୟଂସହାୟକ ଗୋଷ୍ଠି, ଓରମାସ, କୃଷି ବିଭାଗ ଓ ଡିଆଇସି ସହ ଅନୁବନ୍ଧିତ ଗୋଷ୍ଠୀ ପାଇଁ ସ୍ୱଳ୍ପ ଦେୟରେ ବ୍ୟବସାୟ କରିବାର ସୁଯୋଗ ସୃଷ୍ଟି କରାଯାଇଥିଲା । ଓରମାସର ଅତିରିକ୍ତ ନିର୍ଦ୍ଦେଶକ ରୋଶନ କାର୍ତ୍ତିକଙ୍କ କହିବାନୁଯାୟୀ, ପରବର ଚତୁର୍ଥ ଦିନ ସୁଦ୍ଧା ସମୁଦାୟ ୧୦ କୋଟିରୁ ଉର୍ଦ୍ଧ୍ଵ ବ୍ୟବସାୟ ହୋଇଛି । ଯାହାକି ଗତ ଓ ବିଗତ ବର୍ଷମାନଙ୍କ ଠାରୁ ଅଧିକ ।