ଭୁବନେଶ୍ୱର:ଶ୍ମଶାନରେ ଚାଲିଥିଲା ଅନ୍ତେଷ୍ଟି କ୍ରିୟା । ହଠାତ୍ ପୋଲିସ ପହଞ୍ଚିଲା, ଜଳନ୍ତା ଜୁଇ ଲିଭାଇ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା । ପରେ ଜଣାପଡିଲା ଦାହ ହେଉଥିବା ମୃତଦେହ ଜଣେ ପୂର୍ବତନ ବିଧାୟକଙ୍କ ଧର୍ମପତ୍ନୀଙ୍କର । ବୋହୂ ବିରୋଧରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୋଲିସ ଏପରି ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତକାଲି (ଶନିବାର) ସତ୍ୟ ନଗର ଶ୍ମଶାନ ପରିସରରେ ଦେଖିବାକୁ ମିଳିଥିଲା କିଛି ଏପରି ନାଟକୀୟ ଘଟଣା । ମୃତ ବୃଦ୍ଧା ଜଣକ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କର ପତ୍ନୀ । ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଛି ।
କ'ଣ ଥିଲା ପୂରା ଘଟଣା ?
ଗତକାଲି ଅପରାହ୍ନରେ ଭୁବନେଶ୍ୱର ସତ୍ୟ ନଗର ଶ୍ମଶାନରେ ବ୍ରହ୍ମଗିରି ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣାଙ୍କର ଅନ୍ତିମ ସଂସ୍କାର ଚାଲିଥିଲା । ଏହି ସମୟରେ କିଛି ଲୋକ ପହଞ୍ଚି ହୋହଲ୍ଲା କରିଥିଲେ । ଏପରିକି ବୃଦ୍ଧାଙ୍କୁ ହତ୍ୟା କରାଯାଇ ତରବରିଆ ଭାବେ ଦାହ କରାଯାଉଥିବା ଅଭିଯୋଗ ଆଣିଥିଲେ ସମ୍ପର୍କୀୟ । ବିବାଦ ଉପୁଜିବାରୁ ଘଟଣା ସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୋଲିସ । ଶ୍ମଶାନରେ ଦାହ ଚାଲିଥିବା ବେଳେ ଦରପୋଡା ମୃତଦେହକୁ ପୋଲିସ ଜବତ କରିଥିଲା । ମୃତଦେହ ଥିଲା ପୂର୍ବତନ ପତ୍ନୀଙ୍କର । ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଛି ପୋଲିସ ।
- ଏମିତି କହିଲେ ଥାନା ଅଧିକାରୀ:
ଖାରବେଳ ନଗର ଥାନା ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର କହିଛନ୍ତି, "ଏକ ଅଭିଯୋଗ ଆଧାରରେ ହତ୍ୟା ମାମଲା ହୋଇଛି । ମୃତକଙ୍କର ସାନ ଭଉଣୀ ମୋନିକା ପ୍ରଧାନ ଅଭିଯୋଗ କରିଛନ୍ତି । ମୃତ ବୃଦ୍ଧା ତଥା ବଡ଼ ଭଉଣୀଙ୍କ ବୋହୂଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି । ନିକଟ ସମ୍ପର୍କୀୟ ଓ ପରିବାର ଲୋକଙ୍କୁ ନ ଜଣାଇ ମୃତ ବୃଦ୍ଧାଙ୍କ ବୋହୂ ଏପରି ଦାହ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆସିଥିଲା । ପୋଲିସ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରିଛି । ପୋଷ୍ଟମର୍ଟମ ପରେ ପୋଲିସ ପରବର୍ତ୍ତୀ ପଦକ୍ଷେପ ନେବ । "
- ମୃତ ବୃଦ୍ଧାଙ୍କ ଭଉଣୀଙ୍କ ଅଭିଯୋଗ:
ମୃତ ବୃଦ୍ଧାଙ୍କ ସାନ ଭଉଣୀ ମୋନିକା ପ୍ରଧାନ କହିଛନ୍ତି, "ଉଭଣୀ ସହ ତାଙ୍କର ବୋହୂ ରହୁଥିଲେ । ସମ୍ପତ୍ତି ବିବାଦ ନେଇ କୋର୍ଟରେ କେସ ଚାଲିଛି । ଆଇନଗତ ଲଢେଇ ଚାଲିଛି । ହେଲେ ଯେପରି ମୃତ୍ୟୁ ହେବା ପରେ କାହାକୁ ନଜଣାଇ ସତ୍କାର ପାଇଁ ଆସିଛନ୍ତି । ଏନେଇ ମନରେ ସନ୍ଦେହ ସୃଷ୍ଟି ହୋଇଛି ଯେ, ଶାଶୁକୁ ହତ୍ୟା କରି ଏପରି ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରୁଛନ୍ତି। "
ଏହା ବି ପଢନ୍ତୁ...ମାଆ-ଝିଅ ଡବଲ ମର୍ଡର ଉପରୁ ହଟୁଛି ପରଦା, ପୋଲିସର କ୍ରାଇମ ସିନ ରିକ୍ରିଏସନ |