ଫୁଲବାଣୀ: ଏନଏସି ଘୋଷଣାକୁ ନେଇ ଅସନ୍ତୋଷ । ରାଜ୍ୟ ସରକାର ଏନଏସି ଘୋଷଣାରେ କନ୍ଧମାଳକୁ ଉପେକ୍ଷା କରିଥିବା ଅଭିଯୋଗ ଆସିଛି । ଟିକାବାଲି, ଦାରିଙ୍ଗିବାଡ଼ି ଏବଂ ଫିରିଙ୍ଗିଆକୁ ଏଡନଏସି ଦାବି ସହ ବ୍ରାହ୍ମଣୀଗାଁ ଓ ଗୋଚ୍ଛାପଡ଼ାକୁ ବ୍ଲକ ଦାବି କରାଯାଇଛି । ଗତ ବୁଧବାର ରାଜ୍ୟ ସରକାର ରାଜ୍ୟରେ ଆଉ 22 ନୂଆ ଏନ୍ଏସି ଘୋଷଣା କରିଛନ୍ତି । ହେଲେ କନ୍ଧମାଳ ଜିଲ୍ଲାରେ ସେପରି କିଛି ହୋଇନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଞ୍ଚଳ ଲୋକ । ସେନେଇ ଫୁଲବାଣୀରେ ଗତକାଲି(ଗୁରୁବାର) ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ।
ଏହାକୁ ଆମେ ବିରୋଧ କରୁଛୁ ବୋଲି ଗୁରୁବାର ଫୁଲବାଣୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ରମେଶ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି । ଏହା ସରକାରଙ୍କ ବୈମାତୃକ ମନୋଭାବ ବୋଲି ସେ ଅଭିଯୋଗ କରିଛନ୍ତି । ରମେଶ ଆହୁରି କହିଛନ୍ତି ‘‘ଜିଲ୍ଲାର ଫିରିଙ୍ଗିଆ ଏବଂ ଦାରିଙ୍ଗିବାଡି ବ୍ଲକ ବଡ ଅଞ୍ଚଳ । ବହୁ ଦିନରୁ ଆମେ ଫିରିଙ୍ଗିଆର ଗୋଚ୍ଛାପଡା ଏବଂ ଦାରିଙ୍ଗିବାଡିର ବ୍ରାହ୍ମଣୀଗାଁକୁ ବ୍ଲକ ଦାବି କରି ଆସୁଛୁ । ହେଲେ ରାଜ୍ୟ ସରକାର ସେଭଳି କିଛି ପଦକ୍ଷେପ ନେଲେ ନାହିଁ । କନ୍ଧମାଳକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । ଆମେ ଦାବି କରୁଛୁ ସରକାର ତୁରନ୍ତ ଏହା ପ୍ରତି ଦୃଷ୍ଟି ଦିଅନ୍ତୁ । ସେହିପରି ସଂସଦୀୟ କ୍ଷେତ୍ରରେ ମଧ୍ୟ ସରକାର ଅଣଦେଖା କରିଛନ୍ତି ।’’ ଏହା ନହେଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ବୌଦ୍ଧର ଆଉ ତିନୋଟି ସ୍ଥାନକୁ ଏନଏସି ମାନ୍ୟତା, ଜିଲ୍ଲାରେ ଖୁସିର ଲହରୀ