ସୁବର୍ଣ୍ଣପୁର:ପ୍ରାକୃତିକ ନୈସର୍ଗିକ ଅପରୂପା ସୌନ୍ଦର୍ଯ୍ୟର ଅନନ୍ୟ ଗନ୍ତାଘର ହେଉଛି ସୁବର୍ଣ୍ଣପୁର । ଏହି ସହରଟି ନିଜର ନିଆରା କଳା, ସଂସ୍କୃତି ଓ ଐତିହ୍ୟ ପାଇଁ ବେଶ ପରିଚିତ । ସୋନପୁର ଗଡଜାତର ପ୍ରତୀକ ମଲ୍ଲୀ ଫୁଲ । ଛୋଟିଆ ହେଲେ ବି ସୁବାସିତ ଏହି ଫୁଲଟି ସମସ୍ତଙ୍କର ଅତିପ୍ରିୟ । ଗ୍ରୀଷ୍ମର ଆରମ୍ଭରେ ବିଶେଷକରି ଚୈତ୍ର ମାସରୁ ଜ୍ୟେଷ୍ଠ ମାସ ପର୍ଯ୍ୟନ୍ତ ବ୍ୟାପକ ପରିମାଣରେ ମଲ୍ଲୀ ଫୁଲ ଫୁଟୁଥିବା ବେଳେ ସହରରେ ଏହାର ଚାହିଦା ବି ବେଶ ଅଧିକ । ହେଲେ ଚାହିଦା ତୁଳନାରେ ଉତ୍ପାଦନ ହୋଇପାରୁନାହିଁ । ଏନେଇ ସରକାରୀ ସ୍ତରରେ ମଲ୍ଲୀଫୁଲ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ଏହି ଗଡଜାତ ସହରରେ ଥିବା ଅଷ୍ଟୋତ୍ତର 108 ମନ୍ଦିରରେ ଗ୍ରୀଷ୍ମରେ ଲୋଡ଼ା ହୁଏ ମଲ୍ଲୀ ଫୁଲ । ଶୈବ, ଶାକ୍ତ ,ବୈଷ୍ଣବ ,ନାଥ ତଥା ମହିମା ଧର୍ମର ଏହି ଭୂଖଣ୍ଡରେ ମଲ୍ଲୀ ଫୁଲ ପ୍ରତିଟି ମନ୍ଦିରରେ ଲାଗି ହୁଏ । ଜାତି ଜାତିକା ଫୁଲ ଭିତରେ ମହମହ ଚହଟଭରା ମଲ୍ଲୀ ଫୁଲର ଆଦର ସହରରେ ବେଶ ଅଧିକ । ବିଭିନ୍ନ ଦେବା ଦେବୀ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଫୁଲର ଆବଶ୍ୟକତା ପଡୁଥିବା ବେଳେ ମଲ୍ଲୀ ଫୁଲ କିନ୍ତୁ ସବୁ ଦେବାଦେବୀଙ୍କ ଆରାଧନାରେ ସମର୍ପିତ ହୋଇଥାଏ । ଏପରି କି ଏହି ଅଞ୍ଚଳର ଖିଆଲି ଓ ଶାନ୍ତି ପ୍ରିୟ ମଣିଷମାନଙ୍କ ସହିତ ଗୃହିଣୀମାନଙ୍କ ପାଖରେ ମଲ୍ଲୀଫୁଲର ଚାହିଦା ଅଧିକ ।
ଏହା ମଧ୍ୟ ପଢନ୍ତୁ-ତରଭୁଜ ଚାଷ ଉପରୁ ମୁହଁ ଲେଉଟାଇଲେଣି ଚାଷୀ, ମିଳୁନି ସରକାରୀ ପ୍ରୋତ୍ସାହନ