ପାରାଦ୍ଵୀପ: ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଅପରେସନ ଅଲିଭିଆ । ସମୂହ ଅଣ୍ଡାଦାନ ପାଇଁ ଏବେ ଓଡିଶା ମୁହାଁ ଅଲିଭ ରିଡଲେ କଇଁଛ । ତେଣୁ ଏଭଳି ସମୟରେ ଅଲିଭ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ତଟରକ୍ଷୀ ବାହିନୀ । ଲଗାତାର ସମୁଦ୍ରରେ ନିରୀକ୍ଷଣ କରୁଛି ତଟରକ୍ଷୀ ବାହିନୀ । ଡ୍ରୋନ, ଜାହାଜ ଆଦି ବ୍ୟବହାର କରି ତଟରକ୍ଷୀ ବାହିନୀ ଅଲିଭ ରିଡଲେଙ୍କୁ ସୁରକ୍ଷା ଦେଉଛି । ସମୁଦ୍ର ଓ ନଦୀ ମୁହାଣରେ କିପରି ଅନୁପ୍ରବେଶକାରୀ ପ୍ରବେଶ କରିପାରିବେ ନାହିଁ ସେ ନେଇ ମଧ୍ୟ ନଜର ରଖିଛି । ଓଡିଶା ମେରାଇନ ଫିସରି ଆକ୍ଟ ଅନୁସାରେ ବେଆଇନ ମାଛଧରା ଉପରେ ବି ନଜର ରଖିଛି ତଟରକ୍ଷୀ ।
- ଅପରେସନ ଅଲିଭିଆ
ଭାରତୀୟ ତଟରକ୍ଷୀ ବାହିନୀ ରାଜ୍ୟ ମତ୍ସ୍ୟ ଓ ବନ୍ୟ ବିଭାଗ ସହଯୋଗରେ ଏହି ଅଭିଯାନ ଚଳାଇ ଆସୁଅଛି। ଏହି ଅଭିଯାନ 01 ନଭେମ୍ବରରୁ ଆରମ୍ଭ ହୋଇ 31ମେ’ 2025 ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଅନ୍ତର୍ଗତ ଭାରତୀୟ ତଟ ରକ୍ଷକ ନିୟମିତ ଭାବରେ ସାମାଜିକ ସଚେତନତା ଅଭିଯାନ ଏବଂ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଉପକୂଳବାସୀଙ୍କ ସହ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସଜାଗ କରାଯାଉଛି। ସେହିପରି ମାଛ ଧରିବା ବା ମୋଟର ଚାଳିତ ବୋଟ୍ ଗୁଡ଼ିକରେ ନିରୀକ୍ଷଣ କରାଯାଉଛି। ଯେଉଁଥିରେ କଇଁଛ ସୁରକ୍ଷା ଯନ୍ତ୍ର ବ୍ୟବହାର ସୁନିଶ୍ଚିତ ହୋଇପାରିବ। ଭାରତୀୟ ତଟରକ୍ଷୀର ଜାହାଜ ଏବଂ ବିମାନଗୁଡ଼ିକ କଇଁଛ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ତାଙ୍କ ପାଇଁ ଉପଯୁକ୍ତ ପରିବେଶ ନିର୍ମାଣ କରିବା ପାଇଁ ଅନବରତ ନିୟୋଜିତ ହୋଇଛି।
ଏହି ଅଭିଯାନରେ 29ଟି ଭାରତୀୟ ତଟରକ୍ଷୀ ଜାହାଜ 138 ଦିନ ସମୁଦ୍ରରେ ଘୁରି ବୁଲିଛି । ସେହିପରି ତଟରକ୍ଷୀ ବିମାନ 65 ଘଣ୍ଟା ଅଭିଯାନ ଚଳାଇଛନ୍ତି । ଏହି ଉଦ୍ୟମ ଯୋଗୁଁ ଚତୁର୍ଥାଂଶ ହାରରେ କଇଁଛ ମୃତ୍ୟୁହାର କମାଇବାରେ ସାହାଯ୍ୟ କରିଛି। ଏଥିପର୍ଯ୍ୟନ୍ତ ସମୁଦ୍ରରେ 150 ଟି ମାଛ ଧରୁଥିବା ଡଙ୍ଗା ଉପରେ ନିରୀକ୍ଷଣ କରାଯାଇଛି । ଯେଉଁଥିରେ ସାମୁଦ୍ରିକ ଆଇନକୁ ପାଳନ କରିବା ପାଇଁ ନିଶ୍ଚିନ୍ତ କରାଯାଇଛି। 1991 ମସିହା ଠାରୁ ନିୟମିତ ଭାବରେ ଭାରତୀୟ ତଟରକ୍ଷୀ ବାହିନୀ ବନ୍ୟ ପ୍ରାଣୀ ସୁରକ୍ଷା ଅଧିନିୟମ 1972 ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିରନ୍ତର ସାହାଯ୍ୟ ପ୍ରଦାନ କରି ଆସୁଛି।