ଭୁବନେଶ୍ବର:ପୁଣି ରଜ୍ୟକୁ ଭିଜାଇବ ବର୍ଷା । ଆଜିଠାରୁ ୨ ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିବ । ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶାରେ ପୁଣିଥରେ ପାଗରେ ପରିବର୍ତ୍ତନ ଘଟିଛି ତେଣୁ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା ରହିଛି । ଆଜି ୭ ଜିଲ୍ଲାରେ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବର୍ଷା ଯୋଗୁଁ ଅନ୍ୟ ଜିଲ୍ଲାରେ ପାଗ କୋହଲା ରହିବ । ମୁଖ୍ୟତଃ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏହି ଜିଲ୍ଲାକୁ ବର୍ଷା ଆଲର୍ଟ:
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଆଜିଠାରୁ ୨ ଦିନ ପୁଣି ବର୍ଷା ହେବ । ତେଣୁ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ । ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାରେ କୋହଲା ପାଗ ସହ ଝିପ୍ଝିପ୍ ବର୍ଷା ଲାଗି ରହିପାରେ ।
ସେହିପରି ଆସନ୍ତାକାଲି ୨୯ ତାରିଖରେ ମଧ୍ୟ ବର୍ଷା ରହିବ । ଏଥିପାଇଁ ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ।