ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଏବଂ ଆଇଏଲଏସ ମଧ୍ୟରେ ଏମଓୟୁ । ଯକ୍ଷ୍ମା ପ୍ରତିରୋଧ ଓ ପ୍ରତିଷେଧକର ବିକାଶ ପାଇଁ ଗବେଷଣାକୁ ଗୁରୁତ୍ୱ । ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗ କରିବା ପାଇଁ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ (ଆଇଏଲ୍ଏସ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ବିଶେଷ ଭାବରେ ବୈଷୟିକ ଶିକ୍ଷା, ଜୈବ ବିଜ୍ଞାନ, ମଲିକୁଲାର ବାୟୋଲୋଜି ଏବଂ ମାଇକ୍ରୋ ବାୟୋଲୋଜି କ୍ଷେତ୍ରରେ ଏକାଡେମିକ୍ ପ୍ରକ୍ରିୟାର ଗୁଣବତ୍ତା ତଥା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଗବେଷଣା କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ଉଭୟ ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣାପତ୍ର କାର୍ଯ୍ୟ କରିବ ।
ଯକ୍ଷ୍ମାର ପ୍ରତିରୋଧ ପାଇଁ ଟିକା ବା ପ୍ରତିଷେଧକର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଉଭୟ ପ୍ରତିଷ୍ଠାନ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି । ଏହାସହ ଆଇଆଇଟି ଭୁବନେଶ୍ୱର ଏବଂ ଆଇଏଲ୍ଏସର ଅଧ୍ୟାପକମାନେ ପାରସ୍ପରିକ ସହମତିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଆଧାର କରି ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା କ୍ଷେତ୍ରରେ ସହଯୋଗ ଏବଂ ତାଲିମ ଦେବା କାର୍ଯ୍ୟ କରିପାରିବେ । ସେମାନେ ମିଳିତ ଭାବରେ ଉଭୟ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ପାଇଁ ମନୋନୀତ ବିଷୟ ଏବଂ ସମ୍ମିଳନୀ, କର୍ମଶାଳା, ସେମିନାର, ଏବଂ ଆଲୋଚନାଚକ୍ର ଆୟୋଜନ କରିପାରିବେ ।
ଏନେଇ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର କହିଛନ୍ତି ଯେ, ଆଇଏଲ୍ଏସ୍ ସହିତ ଏହି ସହଯୋଗ ବିଭିନ୍ନ ଜୀବନ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଇକୋସିଷ୍ଟମକୁ ସମୃଦ୍ଧ କରିବ। ଯାହା ମାନବ ଜୀବନକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସହାୟକ ହେବ । ବୈଷୟିକ ଜ୍ଞାନ ପ୍ରଦାନକାରୀ ଭାବରେ ଆଇଆଇଟି ଭୁବନେଶ୍ୱର ଏହି ସଙ୍ଗଠନରେ ଏହି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବାକୁ ବିଶେଷ ରୂପେ ଆଗ୍ରହୀ ।