ବ୍ରହ୍ମପୁର (ଗଞ୍ଜାମ): ପ୍ରତି ବର୍ଷ ରାଜ୍ୟରେ ହାତୀ ମଣିଷ ଲଢ଼େଇ ହେଉଛି । କେତେବେଳେ ଜଙ୍ଗଲ ଭିତରେ ତ ଆଉ କେତେବେଳେ ଜନବସତିରେ ? ଜଙ୍ଗଲ କ୍ଷୟ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ । ହାତୀପଲଙ୍କ ଯୋଗୁଁ କେତେବେଳେ ଫସଲ ନଷ୍ଟ ହେଉଛି ତ ଆଉ କେତେବେଳେ ଘରଦ୍ବାର ଭାଙ୍ଗି ଚୁରମାର ହେଉଛି । ଆଉ ବେଳେ ବେଳେ ହାତୀ ଏବଂ ବଣୁଆ ଜନ୍ତୁଙ୍କ ଆକ୍ରମଣରେ ମଣିଷ ଜୀବନ ଯାଉଛି । କାହିଁକି ବଢୁଛି ହାତୀ-ମଣିଷ ଲଢ଼େଇ ? କାହିଁକି ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ ? କଣ ଏହାର ମୁଖ୍ୟ କାରଣ ? କେମିତି ଏହାକୁ ରୋକାଯାଇ ପାରିବ ? ହାତୀ-ମଣିଷ ସହବସ୍ଥାନ ସମ୍ଭବ କି ? ଆସନ୍ତୁ ଦେଖିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ - ଭଞ୍ଜବିହାର ହାତକୁ ନେଇଥିବା ବଡ଼ ଗବେଷଣାର ରୂପରେଖ ଉପରେ ।
ହାତୀ-ମଣିଷ ଲଢ଼େଇ:
ଦିନ କୁ ଦିନ ବୃଦ୍ଧି ପାଉଛି ହାତୀ-ମଣିଷ ଲଢ଼େଇ । ବିଦ୍ୟୁତ ଆଘାତ ହେଉ କିମ୍ବା ଶିକାରୀର ଶିକାର କିମ୍ବା ସାଧାରଣ ଲୋକଙ୍କ ପ୍ରତି ଆକ୍ରମଣ, ବିଭିନ୍ନ କାରଣରୁ ଯାଉଛି ହାତୀଙ୍କ ଜୀବନ । ଏପରି ବର୍ଷ ବର୍ଷ ଧରି ଜାରି ରହିଛି ହାତୀ ମଣିଷ ଲଢେଇ । ଆଉ ଏହାରି ମଧ୍ୟରେ ଜଙ୍ଗଲ ସଫା ହେଉ ବା ବନ୍ୟଜନ୍ତୁଙ୍କ ରହୁଥିବା ସ୍ଥାନ ସଫେଇ ହେଉ, ମନୁଷ୍ୟ ରହୁଥିବା ଅଞ୍ଚଳ ବା ଜନବସତି ଆଡକୁ ମୁହାଁଉଛନ୍ତି ହାତୀ ଏବଂ ବିଭିନ୍ନ ଜଙ୍ଗଲୀ ପଶୁ ଏବଂ ସରୀସୃପ (ସାପ) । ପ୍ରତି ବର୍ଷ ବନ୍ୟଜନ୍ତୁ ଆକ୍ରମଣ ଏବଂ ସାର୍ପାଘାତରେ ଯାଉଛି ଶହ ଶହ ଲୋକଙ୍କ ଜୀବନ । ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାର ।
କାରଣ ଖୋଜିବ ଭଞ୍ଜବିହାର:
ପରିବର୍ତ୍ତିତ ପରିବେଶ ରତୁଚକ୍ରରେ ଏଭଳି ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ଏବଂ ମନୁଷ୍ୟ ମଧ୍ୟରେ ଦେଖିବାକୁ ମିଳୁଛି ଲଢ଼େଇ । ଏହାର କାରଣ ଓ ସମାଧାନ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ, ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଅଧିକ ଗବେଷଣା କରିବାକୁ ଆଗକୁ ଆସିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ନୂଆଦିଲ୍ଲୀ ସ୍ଥିତ ଭାରତ ସାମାଜିକ ବିଜ୍ଞାନ ଗବେଷଣା କେନ୍ଦ୍ର (The Indian Council of Social Science Research-ICSSR) ଆଗକୁ ଆସିଛି । ରାଜ୍ୟର ଅନ୍ୟତମ ଅଗ୍ରଣୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଏହି ଗବେଷଣା କରିବାକୁ ଚୟନ କରାଯାଇଛି ।
ICSSR-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମିଳିତ ଉଦ୍ୟମ:
ମାନବ-ବନ୍ୟଜନ୍ତୁ ଲଢେଇର କାରଣ ଓ ତାହାର ସମାଧାନର ବାଟ ଦେଖାଇବାକୁ ଯାଉଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ଆଗାମୀ ପାଞ୍ଚ ବର୍ଷ ଧରି ପୂର୍ବାଞ୍ଚଳ ଘାଟ (Eastern Ghats) ସଂପର୍କରେ ଗବେଷଣା କରାଯିବ । ଏଥିପାଇଁ ୨ କୋଟି ଟଙ୍କା ବୟ ଅଟକଳ କରାଯାଇଛି । ଏଥିରେ ମୁଖ୍ୟତଃ ହାତୀ, କଲରା ପତରିଆ ବାଘ, କୃଷ୍ଣସାର ମୃଗ ଏବଂ ସର୍ପ ଭଳି ଚାରି ପ୍ରକାର ବନ୍ୟଜନ୍ତୁଙ୍କ ବିଷୟରେ ଅଧ୍ୟୟନ ସହ ସମାଧାନ ପନ୍ଥା ବାହାର କରିବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗବେଷକ ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି ଯେ, "ମୁଖ୍ୟତଃ ହାତୀ-ମଣିଷ ଲଢ଼େଇ ଏବଂ ବନ୍ୟଜନ୍ତୁ-ମନୁଷ୍ୟ ସହାବସ୍ଥାନ ଉପରେ ଗବେଷଣା କରାଯିବ । ଏହି ପ୍ରକଳ୍ପରେ ଏମଡିଏସ ବିଶ୍ୱବିଦ୍ୟାଳୟ, ଆଜମେର ଜାଭିୟର ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ସେଣ୍ଟର ଫର୍ ୟୁଥ ଏଣ୍ଡ ସୋସିଆଲ୍ ଡେଭଲପମେଣ୍ଟ (CYSD)ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷକମାନେ କାମ କରିବେ ।"
ପ୍ରକଳ୍ପ ସଂଯୋଜକ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗ ପ୍ରଫେସର ବି. ଅଞ୍ଜନ କୁମାର ପୃଷ୍ଟିଙ୍କ କହିବା କଥା, "ପୂର୍ବାଞ୍ଚଳ ଘାଟରେ ମାନବ-ବନ୍ୟଜନ୍ତୁ ସମସ୍ୟାର ସାମାଜିକ- ପରିବେଶ (ecological) ସମାଧାନ ପାଇଁ ପ୍ରସ୍ତୁତ କରାଯାଇଛି । ଗବେଷଣାର ଦିଗକୁ ନେଇ ଆଗାମୀ ଦିନରେ ଏହି ସଂପର୍କିତ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଗୋଷ୍ଠୀକୁ ନେଇ ଗବେଷଣା କରାଯିବ । ବିଭିନ୍ନ ଆପ୍ (App) ପ୍ରସ୍ତୁତ କରି ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରାଯିବ । ଏହି ପ୍ରକଳ୍ପ ୨୦୨୪ରୁ ୨୦୨୯ ମସିହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ। "