କଟକ: ବକ୍ସ ଡ୍ରେନ କାର୍ଯ୍ୟ ନେଇ ଜଳବନ୍ଦୀ ହେଉଛି କଟକ । କାଳବୈଶାଖୀ ଜନିତ ପ୍ରବଳ ବର୍ଷାରେ ଗତକାଲି ରାତିରେ କଟକରେ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ସହ ଘର ଭିତରେ ମଧ୍ୟ ପାଣି ଲହଡ଼ି ମାରୁଛି । ସହରରେ ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବର୍ଷା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଫ୍ରେଣ୍ଡ କଲୋନୀ ଠାରୁ ଛତ୍ର ବଜାର ପର୍ଯ୍ୟନ୍ତ ଜାରି ରହିଥିବା ଶେଷ ପର୍ଯ୍ୟାୟ କାର୍ଯ୍ୟ ନେଇ କଟକ ଗତକାଲି ଜଳବନ୍ଦୀ ହୋଇଥିଲା । ନିର୍ମାଣଧୀନ ବକ୍ସ ଡ୍ରେନର ଦୁଇ ପାର୍ଶ୍ଵରେ ଥିବା ଲୁହା ୱାଲ କାରଣରୁ ଜଳ ନିଷ୍କାସନ ହୋଇ ପାରି ନଥିବା କହିଛନ୍ତି ସିଏମସି କମିଶନର ବିଜୟ କୁମାର ଦାସ ।
ବର୍ଷା ଛାଡିବା କ୍ଷଣି ସିଏମସି ଟିମ ସେଠାରେ ପହଞ୍ଚି ଜଳ ନିଷ୍କାସନ କରିବା ପରେ ସହରରୁ କିଛି ଘଣ୍ଟା ମଧ୍ୟରେ ଜଳ ନିଷ୍କାସିତ ହୋଇଥିଲା। ତେବେ ଜୁନ 15 ମଧ୍ୟରେ ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହୋଇଯିବା ସହିତ ମୌସୁମୀ ସମୟରେ କଟକ ଆଉ ଜଳବନ୍ଦୀ ହେବନି ବୋଲି ପ୍ରତିଶୃତି ଦେଇଛନ୍ତି ସିଏମସି କମିଶନର ବିଜୟ କୁମାର ଦାସ । ତେବେ ଗତକାଲି ରାତିରେ କାଳବୈଶାଖୀ ଜନିତ ପ୍ରବଳ ବର୍ଷାରେ କଟକ ଜିଲ୍ଲାର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୃଷ୍ଟି ଗୋଚର ହେଇଥିଲା । କଟକ ସହରର ଭଗତପୁର, ରାଉଶା ପାଟଣା, ଝୋଲା ସାହି, ସେମିନାର ଛକ, ମକରବାଗ, ସୂତାହାଟ, ମେରିଆ ବଜାର, ଷ୍ଟୁଆର୍ଟ ପାଟଣା ଓ ଫ୍ରେଣ୍ଡସ କଲୋନୀ ଆଦି ଅଞ୍ଚଳରେ ମଧ୍ୟ ସ୍ଥିତି ସଙ୍ଗୀନ ହୋଇଥିଲା ।