ଭବାନୀପାଟଣା:ଭିଜିଲାନ୍ସ ଜାଲରେ ମେଡିକାଲ ସୁପରଭାଇଜର । ଜନ୍ମ ପ୍ରମାଣପତ୍ର କରାଇଦେବା ପାଇଁ ମାଗୁଥିଲେ ଲାଞ୍ଚ । ଅନଲାଇନ ମାଧ୍ୟମରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ମେଡିକାଲ ସୁପରଭାଇଜରଙ୍କୁ ଗିରଫ କରି ତାଙ୍କ ବାସଭବନରେ ଯାଞ୍ଚ କରିବା ସହ ମୋବାଇଲ ଜବତ କରିଛି ଭିଜିଲାନ୍ସ ।
Health Supervisor Caught in Vigilance Net (ETV Bharat Odisha) ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ:
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ସୁପଭାଇଜର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାଇଟାଲ ଷ୍ଟାର୍ଟସ୍ଟିକ କ୍ଲର୍କ ଭାବେ ଦାୟିତ୍ୱରେ ଥିବା ଅଧିକାରୀ ଲକ୍ଷ୍ମୀ ନାରାୟଣ ମହାରଣା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନିକେସଜୋର ଗ୍ରାମର ବବ୍ଲୁ ନାଏକ, ଅର୍ଜୁନ ନାଏକ, ଘାସିରାମ ନାଏକ ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ଏଥିପାଇଁ ଲକ୍ଷ୍ମୀ ନାରାୟଣ ସେମାନଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସେମାନେ ଜିଲ୍ଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗ ଏହି ସରକାରୀ ଅଧିକାରୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ।
Health Supervisor Caught in Vigilance Net (@Odisha Vigilance) ମାଡିବସିଲା ଭିଜିଲାନ୍ସ:
ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ୩ ଜଣ ବ୍ୟକ୍ତି ଅନ୍ଲାଇନ UPI ମାଧ୍ୟମରେ ଲକ୍ଷ୍ମୀ ନାରାୟଣଙ୍କୁ ଟଙ୍କା ଦେବା ପରେ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ସେପଟେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ବିଭାଗ ଲକ୍ଷ୍ମୀ ମହାରଣାକୁ ହାତାହାତି ମାଡିବସିଥିଲା । ତାଙ୍କୁ ମେଡିକାଲ ପରିସରରୁ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚୁରା କରିବା ସହ ତାଙ୍କୁ ଫୋନକୁ ଜବତ କରିଛି । ଏହି ମାମଲାରେ କୋରାପୁଟ ଭିଜିଲାନ୍ସ କେସ ନମ୍ବର ୧/୦୧.୦୧.୨୦୨୫ରେ ଏକ ମାମଲା ରୁଜୁ କରିଛି । ଏହାସହ ଲକ୍ଷ୍ନୀ ନାରାୟଣଙ୍କ ଚିଲିଗୁଡ଼ା, ଇନ୍ଦ୍ରାବତୀ କଲୋନୀ ସ୍ଥିତ ସରକାରୀ କ୍ବାର୍ଟର ଓ ଜୁନାଗଡ଼ରେ ଥିବା ଘରେ ଯାଞ୍ଚ କରୁଛି ଭିଜିଲାନ୍ସ । ଏନେଇ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।
Health Supervisor Caught in Vigilance Net (ETV Bharat Odisha) ପ୍ରକାଶଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ବିଭାଗର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ି ବର୍ତ୍ତମାନ ସେ ଆଇନ ଅନୁଯାୟୀ ଦଣ୍ଡିତ ହୋଇଥିବାବେଳେ ଲକ୍ଷ୍ନୀ ନାରାୟଣ ମହାରଣାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା ।
ଇଟିଭି ଭାରତ, କଳାହାଣ୍ଡି