ଓଡିଶା

odisha

ETV Bharat / state

ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ଚାଉଳ ATM, କ୍ୱିଣ୍ଟାଲ ପିଛା 3100 ଟଙ୍କାରେ ଧାନ କିଣାଯିବ: ଯୋଗାଣ ମନ୍ତ୍ରୀ - Rice ATM In Bhubaneswar

Govt To Open Rice ATM: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ, ରାଜଧାନୀରେ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ATM । ଅଧିକ ପଢନ୍ତୁ

Govt To Open Rice ATM
Govt To Open Rice ATM (ETV Bharat Odisha)

By ETV Bharat Odisha Team

Published : Jun 20, 2024, 10:35 PM IST

ଭୁବନେଶ୍ବର: ନବ ନିଯୁକ୍ତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ବିଭାଗ ପରିଦର୍ଶନ କରିଛନ୍ତି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଖୁବଶୀଘ୍ର ଭୁବନେଶ୍ୱରରେ ଚାଉଳ ATMର କାର୍ଯ୍ୟକାରୀ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡିଶା ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଛନ୍ତି ମନ୍ତ୍ରୀ ।

Govt To Open Rice ATM (ETV Bharat Odisha)

ବିଭାଗ ସମୀକ୍ଷା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅସାଧୁ ବ୍ୟବସାୟୀଙ୍କୁ କଡା ଚେତାବନୀ ଦେଇଛନ୍ତି । ଯେଉଁ ଅସାଧୁ ବ୍ୟବସାୟୀ କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି "ଏହି ସମୟରେ କିଛି ଦିନ ପାଇଁ ପନିପରିବା ଦର କମ ବେଶୀ ହୋଇଥାଏ । ତଥାପି ଜାଣିଶୁଣି ଦର ବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି । ଏଥି ସହିତ ସମସ୍ତ ଯୋଗାଣ ଅଧିକାରୀଙ୍କୁ କ୍ୱାଲିଟି ଓ ମାପଦଣ୍ଡ ଗ୍ରାଉଣ୍ଡକୁ ଯାଇ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛି । କୃଷକ ଓ ଖାଉଟି ଯେମିତି ହଇରାଣ ନହେବେ ସେନେଇ ମଧ୍ୟ ଯୋଜନା ହୋଇଛି ।" ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କଟଣୀ ଛଟଣି କରିପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଧାନ ଦେବାର 48 ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କୁଇଣ୍ଟାଲ ପିଛା 31 ଶହ ଟଙ୍କାରେ ଧାନ କିଣାଯିବ । ସେଥିପାଇଁ କମିଟି ଗଠନ ହୋଇଛି । ଚାଷୀଙ୍କୁ ହଇରାଣ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି ଡିଲର ହିତାଧିକାରୀକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆସେ, ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଲାଇସେନ୍ସ ବାତିଲ କରି ନୂଆ ଡିଲରଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ATM ଖୋଲାଯିବ । ଭୁବନେଶ୍ୱରରେ ସପ୍ତାହକ ମଧ୍ୟରେ ଖୋଲିବ ଚାଉଳ ATM । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯିବ । ସାରା ଭାରତରେ ସବୁଠି ଏହି କାର୍ଡ ବ୍ୟବହାର ହୋଇପାରିବ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ATM ସେଣ୍ଟର ଖୋଲାଯିବ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ 50 ଲକ୍ଷ ଫଲସ ବା ଭୁତ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ମନ୍ତ୍ରୀ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ଶହେ ଦିନର କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୃଷକ ଓ ଖାଉଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ସହ ମଣ୍ଡିର ସୁପରିଚାଳନାକୁ ସର୍ବଦା ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଖାଦ୍ୟ ସୁରକ୍ଷା ନୀତିକୁ ଲାଗୁ କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ବିଶ୍ଳେଷଣ ଓ ବଜାରଦର ତଦାରଖ ନିୟମିତ ବ୍ୟବଧାନରେ କରାଯିବ । ଖାଦ୍ୟର ଗୁଣବତ୍ତାକୁ ପ୍ରାଧାନ୍ୟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସମୀକ୍ଷା ପୂର୍ବରୁ ବିଭାଗୀୟ ଶାସନ ସଚିବ ଭି. ଭି. ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ମହମ୍ମଦ କୁଆମରୁଲ ହକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହ ବିଭାଗର ବିଭିନ୍ନ ଯୋଜନା, ଖାଦ୍ୟ ସୁରକ୍ଷା ନୀତି, ଖାଦ୍ୟଶସ୍ୟ କ୍ରୟବିକ୍ରୟ, ମଣ୍ଡି ପରିଚାଳନା, ଶୀତଳଭଣ୍ଡାର, ମାପଦଣ୍ଡ ମାନକ, ପିଡ଼ିଏସ ପ୍ରକ୍ରିୟା ଇତ୍ୟାଦି ବିଷୟରେ ଅବଗତ କରାଇଛନ୍ତି । ବୈଠକରେ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ମୌସୁମୀ ଅପେକ୍ଷାରେ ଚାଷୀ, ଆଗେଇ ପାରୁନି ଚାଷ କାମ - Delay In Monsoon Rain

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details