ଭୁବନେଶ୍ବର:ଡ଼ରାଉଛି ସୁନା ଦର । ମାର୍ଚ୍ଚ ମାସ ଶେଷ ସୁଦ୍ଧା ସୁନା ଦର ୭ ହଜାର ୯୨୦ ଟଙ୍କା ବୃଦ୍ଧି ପାଇଛି । ଆଜି ସର୍ବାଧିକ ୬୯ ହଜାର ୭୫୦ ଟଙ୍କା ରହିଥିବା ଜଣାପଡ଼ିଛି । ଦିନକୁ ଦିନ ସୁନା ଦର ହୁହୁ ହୋଇ ବଢୁଥିବାବେଳେ ଆଜି ଦିନରେ ସବୁଠାରୁ ଅଧିକ ଦର ଥିବା ଜଣାପଡଡ଼ିଛି । ଆକାଶଛୁଆଁ ଦରକୁ ନେଇ ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି। ସୁନା କିଣିବା ପାଇଁ ପକେଟକୁ ବାଧୁଥିବା କଥା ଗ୍ରାହକ କହୁଥିବାବେଳେ ପୂର୍ବପେକ୍ଷା ବ୍ୟବସାୟ କମିଛି ବୋଲି ମତ ରଖିଛନ୍ତି ବ୍ୟବସାୟୀ ।
ଏହି ବର୍ଦ୍ଧିତ ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ। ଆଜି ସବୁଠାରୁ ଅଧିକ ସୁନା ଦର ରହିଥିବାବେଳେ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ୨୦୦୦ ଟଙ୍କା ବଢି ୬୯ ହଜାର ୭୫୦ ଟଙ୍କା ଛୁଇଁଛି । ଯାହା ୫ ଦିନ ପୂର୍ବରୁ ବଢ଼ି ୧୦ ଗ୍ରାମ ପିଛା ୬୭ ହଜାର ୪୮୦ ଟଙ୍କା ଛୁଇଁଥିଲା । ସେହିଭଳି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା 1 ହଜାର ଟଙ୍କା ବଢ଼ି ୬୨ହଜାର ୮୦୦ ଟଙ୍କା ଛୁଇଁଛି । ପୂର୍ବରୁ ଏହି ମୂଲ୍ୟ ୧୦ ଗ୍ରାମ ପିଛା ୧ ହଜାର ଟଙ୍କା ବଢ଼ି ୬୧ହଜାର ୮୦୦ ଟଙ୍କା ଛୁଇଁଥିଲା । ତେଣୁ ବର୍ତ୍ତମାନର ସୁନାର ବଜାର ମୂଲ୍ୟ ଗ୍ରାହକଙ୍କୁ ଭୟଭୀତ କରିଛି। ବାହାଘର ହେଉ ଅବା ମାଙ୍ଗଳିକ କାର୍ଯ୍ୟ ଅଥବା ଉପହାର ଭାବରେ ସୁନା ସବୁବେଳେ ଆଗରେ ରହିଥାଏ । ସୁନାର ଚାହିଦା ଉପହାରରେ ଓ ଶୁଭ କାମରେ ଲୋକଙ୍କ ପ୍ରଥମ ପସନ୍ଦ ଥାଏ । ହେଲେ ବର୍ତ୍ତମାନରେ ଏହାର ଆକାଶଛୁଆଁ ଦର ଯୋଗୁ ପୂର୍ବ ଅପେକ୍ଷା କମ୍ ସୁନା କିଣୁଛନ୍ତି ଗ୍ରାହକ । "ଆମେ ଗ୍ରାହକଙ୍କ ସୁବିଧା ପାଇଁ ଅନେକ ଅଫର ଓ ସ୍କିମ କରିଛୁ" ବୋଲି କହିଛନ୍ତି ଭୁବନେଶ୍ୱର ଥିବା ମାଲବାର ସୋ' ରୁମର ମ୍ୟାନେଜେର ।
ସୂଚନା ଅନୁଯାୟୀ, ଫେବ୍ରୁଆରୀ ୨୯ରେ ଭୁବନେଶ୍ଵରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨ ହଜାର ୮୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୭ ହଜାର ୫୯୦ ଟଙ୍କା ଥିଲା । ସେହିଭଳି ମାର୍ଚ୍ଚ ୧ ତାରିଖରେ ଏହି ଦାମ୍ ଯଥାକ୍ରମେ ୬୨ ହଜାର ୮୪୦ ଏବଂ ୫୭ ହଜାର ୬୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ତେଣୁ ଏପ୍ରିଲ ମାସ ସୁଦ୍ଧା ୨୪ କ୍ୟାରେଟ୍ ସୁନା ୮୦ ହଜାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି। ସେହିପରି ଯଦି ପ୍ରତିଶତ ହିସାବରେ ଦେଖିବା ତେବେ କେବଳ ମାର୍ଚ୍ଚ ମାସରେ ପ୍ରାୟ ୭ ରୁ ୮ ପ୍ରତିଶତ ମୂଲ୍ୟ ବୃଦ୍ଧି ପାଇଛି । ଆଗାମୀ ଦିନରେ ସୁନା ଓ ରୁପା ମୂଲ୍ୟ ଆହୁରି ବଢ଼ିବା ସମ୍ଭାବନା ରହିଛି । ଏପରିକି ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଦାମ୍ ୮୦ ହଜାର ଛୁଇଁପାରେ ବୋଲି ଆକଳନ କରାଯାଉଛି ।