ଭୁବନେଶ୍ବର:ଓଡ଼ିଶାରେ ରହିଛି ସୁନା ଖଣି । ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣିର ଥିବାର ସନ୍ଧାନ ମିଳିଛି । ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଏହି ସୁନା ଗଚ୍ଛିତ ଅଛି । କେନ୍ଦୁଝରର ଗୋପୁର-ଗାଜିପୁର ଅଞ୍ଚଳରେ ମଧ୍ୟ ସୁନା ଖଣି ସନ୍ଧାନ ମିଳିଥିବାର ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ କୁହାଯାଇଛି । ଆଜି (ଗୁରୁବାର) ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।
ଦେବଗଡ ଓ କେନ୍ଦୁଝରରେ ଅଛି ସୁନା ଖଣି:
ଖଣି ମନ୍ତ୍ରୀ କହିଛନ୍ତି,''ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ସୁନା ଗଚ୍ଛିତ ରହିଛି । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚି଼ହ୍ନଟ ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନା ଖଣି ଅନ୍ବେଷଣ କରାଯାଉଛି ।''
ଏହାସହିତ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସୁନା ଖଣି ଥିବା ସୂଚନା ମିଳିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ଗୃହରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା ।