ବରଗଡ଼: ଗତ 2015ରେ ଅକ୍ଷୟ କୁମାରଙ୍କ ଅଭିନୀତ ‘ଗବ୍ବର ଇଜ୍ ବ୍ୟାକ୍’ (Gabbar is Back) ନାମକ ଏକ ଫିଲ୍ମ ଆସିଥିଲା । ଘରୋଇ ହସ୍ପିଟାଲରେ ଟଙ୍କା ଲୋଭରେ କିପରି ମୃତଦେହକୁ ଚିକିତ୍ସା କରାଯାଉଥିଲା ଓ ପରିବାର ଲୋକଙ୍କୁ ଆର୍ଥିକ ଶୋଷଣ କରାଯାଉଥିଲା ତାହାର ଏକ କାହାଣୀ ଫିଲ୍ମରେ ଦେଖା ଯାଇଥିଲା । ରିଲ୍ କାହାଣୀ ଏବେ ରିୟଲରେ ଦେଖିବାକୁ ମିଳିଛି । ଏଠି ଅଭିଯୋଗ ଆସିଛି ଅଧିକ ଟଙ୍କା ଲୋଭରେ ମୃତଦେହକୁ ଆଇସିୟୁରେ ଚିକିତ୍ସା କରୁଥିଲା ଘରୋଇ ହସ୍ପିଟାଲ । ଘଟଣା ପ୍ରଘଟ ହେବା ପରେ ଏବେ ଦେଖା ଦେଇଛି ଉତ୍ତେଜନା ।
କେଉଁଠି ଘଟିଛି ଘଟଣା:ବରଗଡ଼ ଜିଲ୍ଲା ବରାହଗୁଡା ଠାରେ 53 ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତାରୋକ କରି ଆନ୍ଦୋଳନ କଲେ ଶତାଧିକ ଲୋକେ । ରୋଗୀଙ୍କ ମୃତ୍ୟୁ ୨ ଦିନ ଆଗରୁ ହୋଇସାରିଥିବା ବେଳେ ଅଧିକ ବିଲ କରିବା ଉଦ୍ଦେଶ୍ୟରେ ରୋଗୀଙ୍କୁ ICUରେ ରଖାଯାଇଥିଲା । ସମ୍ପର୍କୀୟମାନଙ୍କୁ ICU ଭିତରକୁ ଯିବାକୁ ମନା କରାଯାଉଥିଲା ଓ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସୂଚନା ଅନୁଯାୟୀ, ବରଗଡ଼ ବରଗାଁ ଗ୍ରାମର 42 ବର୍ଷୀୟ ଜୟକୁମାର ବିଶ୍ଵାଳଙ୍କର ଲିଭର ଜନିତ ସମସ୍ୟା ରହିଥିବା ବେଳେ ସେ ବରାହଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିଗତ 5 ଦିନ ହେଲା ଚିକିତ୍ସିତ ହେଉଥିଲେ । ମାତ୍ର 5 ଦିନ ପରେ ଜୟକୁମାରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ କୁହାଯାଇଥିଲା । ତେବେ ମୃତ ଜୟକୁମାରଙ୍କର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ୨ ଦିନ ତଳେ ଜୟକୁମାରଙ୍କ ଅବସ୍ଥା ସଂକଟାପନ୍ନ ଥିବା କହି ତାଙ୍କୁ ICUରେ ଭର୍ତ୍ତି କରଯାଇଥିଲା ଓ ପରିବାର ଲୋକଙ୍କୁ ରୋଗୀଙ୍କୁ ଦେଖା କରିବା ପାଇଁ ICU ଭିତରକୁ ଯିବାକୁ ଦିଆଯାଉନଥିଲା । ଆଜି ରୋଗୀଙ୍କ ମୃତ୍ୟୁ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ ।
ମୃତଦେହର ଚାଲିଥିଲା ଚିକିତ୍ସା !
ସେପଟେ ମୃତଦେହ ଫୁଲିଯାଇଥିବା ଓ ଦୁର୍ଗନ୍ଧ ଆସୁଥିବା ଦେଖି ପରିବାର ଲୋକଙ୍କ ମନରେ ସନ୍ଦେହ ଆସିଥିଲା । ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ, ଜୟକୁମାରଙ୍କ ୨ ଦିନ ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଥିଲା । ସେଥିପାଇଁ ICU ଭିତରକୁ ଯିବାକୁ ମନା କରାଯାଉଥିଲା ଏବଂ ମୃତଦେହକୁ ICU ରଖି ଅଧିକ ଟଙ୍କାର ବିଲ କରାଯାଇଛି । ତେବେ ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କ ସହ ଶତାଧିକ ଲୋକ ବରାହଗୁଡା ଠାରେ 53 ନମ୍ବର ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ ।