କେନ୍ଦ୍ରାପଡ଼ା: ପିଲାମାନଙ୍କର ଅଳି ଅଝଟ ପାଇଁ ବାପାମାନେ ଅନେକ କିଛି କରି ଦେଇପାରନ୍ତି । ଝିଅଟିର ଅଝଟ ଆଗରେ ସବୁବେଳେ ମୁଣ୍ଡ ନୁଆଁଇଥାଏ ବାପା । ନିଜର ସାଧ୍ୟମତେ ଯାହାକିଛି ପୂରଣ ହେବ ତାହା କରିଥାଏ । ଝିଅର ବାହାଘର ପାଇଁ ବାପା ଜମିବାଡ଼ି ବିକି ଦେଇଥିବା ଉଦାହରଣ ଆପଣ ଅନେକ ଦେଖିଥିବେ, ହେଲେ ଆଜି ଏମିତି ଜଣେ ବାପାଙ୍କ କଥା ଆମେ କହିବାକୁ ଯାଉଛୁ ଯିଏକି ଅର୍ଥ ସର୍ବସ୍ବ ଦୁନିଆରେ ନିଜ ଅଞ୍ଚଳର ବିକାଶ ଓ ସେବା ପାଇଁ ଝିଅର ପ୍ରାର୍ଥୀତ୍ବ ଖର୍ଚ୍ଚ ପାଇଁ ନିଜର ପୈତୃକ ଭିଟାମାଟି ବିକ୍ରି କରିବାକୁ ପଛାଇ ନାହାନ୍ତି । ହଁ ଆଜ୍ଞା, ଏଭଳି ଜଣେ ବାପା ହେଉଛନ୍ତି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ।
ଆଳି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ପକ୍ଷରୁ ରାଜପରିବାରର ସାନ ବାବୁ ତଥା ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ନିକଟତର କୁହାଯାଉଥିବା ବରିଷ୍ଠ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପୁନର୍ବାର ପ୍ରାର୍ଥୀ ହୋଇଥିବା ବେଳେ ଗେରୁଆ ଦଳ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବ୍ୟବସାୟୀ ତଥା ସମାଜସେବୀ କୃଷ୍ଣଚନ୍ଦ୍ର ପଣ୍ଡା । ସେହିଭଳି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ଅସୁସ୍ଥତା କାରଣରୁ ତାଙ୍କ ଝିଅ ଦେବସ୍ମିତା ଶର୍ମାଙ୍କୁ ଏଠାରୁ କଂଗ୍ରେସ ପ୍ରାର୍ଥୀ କରିଛି । ତେବେ ବିଜେପି ଓ ବିଜେଡି ପ୍ରାର୍ଥୀ ଆର୍ଥିକ ସ୍ବଚ୍ଛଳତା ଦୃଷ୍ଟିରୁ ନିର୍ବାଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା କହିଥିବାବେଳେ ତାଙ୍କ ଝିଅ ଦେବସ୍ମିତାଙ୍କ ନିର୍ବାଚନୀ ଖର୍ଚ୍ଚ ପାଇଁ ସେ ପୈତୃକ ଭିଟାମାଟି ବିକ୍ରି କରିଥିବା କହିଛନ୍ତି ।