ଭୁବନେଶ୍ବର/ରାଉରକେଲା: ହାତୀ ଦାନ୍ତ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ। 11 ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ହାତୀ ଦାନ୍ତ ଜବତ। ରାଜ୍ୟରେ ହାତୀଙ୍କୁ ଆକ୍ରମଣ କରି ସେମାନଙ୍କର ଦାନ୍ତକୁ ଚୋରା ଚାଲାଣ କରାଯାଉଛି। ବେଆଇନ ଭାବରେ ବିକ୍ରି କରାଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରକୁ ହାତୀ ଦାନ୍ତ ପଠାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଦୁର୍ବୃକ୍ତ। ଯାହାର ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
ସୂଚନା ମୁତାବକ, ଗତକାଲି ମଧ୍ୟ ରାତିରେ ବେଆଇନ ଭାବରେ ହାତୀ ଦାନ୍ତ ଡ଼ିଲ କରାଯାଉଥିବା ବେଳେ ମାଡ଼ିବସି ଥିଲା ବନ ବିଭାଗ। ରାଉରକେଲା ଏବଂ ବାଙ୍କି ଡିଭିଜନର ବନ ଅଧିକାରୀ ସୂଚନା ପାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ତେବେ ଚଢ଼ାଉ ବେଳେ ଦୁଇଟି ହାତୀ ଦାନ୍ତ ଏବଂ 12 ଟି ମୋବାଇଲ ଫୋନ ଜବତ କରିବା ସହ 11 ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଅଧିକ ଅନୁସନ୍ଧାନ ଚାଲିଛି। ତେବେ ହାତୀ ଦାନ୍ତ 22 ଏବଂ 24 ଇଞ୍ଚର ହେବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଏହି 11 ଜଣଙ୍କୁ ପଚରାଉଚରା କରାଯାଉଛି ବୋଲି ଏକ୍ସରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଅନ୍ୟପଟେ ଏହି ହାତୀ ଦାନ୍ତ ଦ୍ବୟ ଲକ୍ଷାଧିକ ଟଙ୍କାର ହେବ ବୋଲି ସୂଚନା ମିଳିଛି। ତେବେ ହାତୀ ଦାନ୍ତ କେଉଁଠାରୁ ଆସିଲା। କେଉଁ ଜଙ୍ଗଲରେ ହାତୀଙ୍କୁ ହତ୍ୟା କରାଯାଇଛି। ଆଉ କେତେଜଣ ଏହି ଘଟଣାରେ ସଂପୂର୍କ୍ତ ରହିଛନ୍ତି। ଏହା ସହ ଏହି ହାତୀ ଦାନ୍ତ କାହାକୁ ଚାଲାଣ କରାଯାଉଛି ସେନେଇ ତଦନ୍ତ କରାଯାଉଛି।