ପୁରୀ:ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ପଞ୍ଚସୂତ୍ରୀ କାର୍ଯ୍ୟାବଳୀ । ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।
କ'ଣ ଏହି ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ?
- ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଓ ଅଧିକାରୀମାନେ ଡ୍ୟୁଟି ସମୟରେ କୌଣସି ମାଦକ ଦ୍ରବ୍ୟ ସହ ପାନ, ଗୁଟଖାର ବ୍ୟବହାର କରିବେ ନାହିଁ ।
- ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ଆଦୌ ବ୍ୟବହାର କରିପାରିବେ ନାହିଁ ।
- ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜର ସବୁ ସମ୍ପତ୍ତି ତାଲିକା ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା ବାଧ୍ୟତାମୂଳକ ଭାବେ ଦାଖଲ କରିବେ । ଏହା ନକଲେ ସେମାନଙ୍କର ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ । ଆବଶ୍ୟକ ପଡିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
- ପ୍ରତ୍ୟେକ ଶୁକ୍ରବାର ସମସ୍ତ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ । ପ୍ରତ୍ୟେକ ମାସ ତୃତୀୟ ସପ୍ତାହ ଶୁକ୍ରବାର ଦିନ ବରିଷ୍ଠ ଅଧିକାରୀମାନେ ଏହାର ସମୀକ୍ଷା କରିବେ ।
- ଦୁର୍ନୀତି ଅଭିଯୋଗ ଆସିଲେ ତଦନ୍ତ କରାଯାଇ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।
ବସିଲା ଶ୍ରୀମନ୍ଦିର ପ୍ରଶାସନ ବୈଠକ:
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ରାଜସ୍ୱ, ଭୂସମ୍ପତ୍ତି ଓ ମହାପ୍ରଭୁଙ୍କ ଜମିଜମା ସମସ୍ୟା, ଭକ୍ତଙ୍କ ଦାନ, ଖଣିଖାଦନରୁ ରାଜସ୍ୱ ବୃଦ୍ଧି ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ସ୍ୱଚ୍ଛତା ରକ୍ଷା ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି କହିଥିଲେ ମୁଖ୍ୟପ୍ରଶାସକ । ଦୁର୍ନୀତିରେ କିଏ ସମ୍ପୃକ୍ତ ରହିଥିବା ପ୍ରମାଣ ମିଳିଲେ ତଦନ୍ତ କରାଯିବ । ତଦନ୍ତରୁ ସତ ସାମ୍ନାକୁ ଆସିଲେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡିଲେ ଚାକିରିରୁ ବରଖାସ୍ତ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
'ମହାପ୍ରଭୁଙ୍କ ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ ':
ସେ ଆହୁରି ମଧ୍ୟ କହିଛନ୍ତି," ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତିର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ବିଭାଗର କାର୍ଯ୍ୟ କମ୍ପୁଟରୀକରଣ କରାଯିବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ମହାପ୍ରଭୁଙ୍କ ଖଣିଖାଦନରୁ ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି । ଚଳିତବର୍ଷ ପାଇଁ ରାଜସ୍ୱ ଟାର୍ଗେଟକୁ ଶ୍ରୀମନ୍ଦିର ପ୍ରଶାସନ ଅତିକ୍ରମ କରିଛି । ମହାପ୍ରଭୁଙ୍କ ଭୂସମ୍ପତ୍ତିର ଜମିଜମା ସମସ୍ୟା ଓ ଜନ ଅଭିଯୋଗ ଶୁଣାଣି ପାଇଁ SHREE SAMPATI.COM ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଅନଲାଇନ୍ ଡୋନେସନ୍ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ୍ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକ ତଥା ଗ୍ରନ୍ଥର ଡିଜିଟାଇଜେସନ କରାଯିବ ।"
'ମାର୍ଚ୍ଚ ୧୬ ସୁଦ୍ଧା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ':
ସେ ଏହା ମଧ୍ୟ କହିଛନ୍ତି," ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ନାଟମଣ୍ଡପରେ ଆସନ୍ତା ୨୦ ତାରିଖରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ କି ନାହିଁ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । କାରଣ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ହୁଣ୍ଡି ଥିବାରୁ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଏବଂ ପରିଚାଳନା କମିଟି ପୁନର୍ଗଠନ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନିଆଯିବ । ସେହିପରି ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ ହେବ । ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଲାଗୁ ହୋଇଛି । "