Farmers protest in Bargarh (ETV Bharat Odisha) ବରଗଡ:ଅଦିନିଆ କାଳବୈଶାଖୀ ତାଣ୍ଡବ ଉଜାଡି ଦେଲା ଚାଷ । ରବି ଫସଲ ଅମଳ ସମୟରେ ଧାନ ନଷ୍ଟ ହୋଇଯାଇଥିବା ବେଳେ ଶତାଧିକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡ଼ିଛି l ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ଚାଷୀ । ଏନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବରଗଡ ଜିଲ୍ଲା ଭଟଲି ଅଞ୍ଚଳର ଚାଷୀ । ସଠିକ କ୍ଷୟକ୍ଷତିର ଆକଳନ କରିବା ଖୁବଶୀଘ୍ର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଶତାଧିକ ଚାଷୀ ।
ଚଳିତ ରବି ଋତୁରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଗୋପାଳପୁର ଗ୍ରାମର ଶତାଧିକ ଜମିରେ ଭଲ ଧାନ ଅମଳ ହୋଇଥିବା ବେଳେ ଅଦିନିଆ କାଳବୈଶାଖୀ ତାଣ୍ଡବ ଦାଉ ସାଜିଛି । ବର୍ଷାମାଡରେ ଫସଲ ନଷ୍ଟ ହୋଇଯାଇଥିବା ବେଳେ ଗଣ୍ଠି ପୋକ କାରଣରୁ ବିଲରୁ ଫସଲ ଘରକୁ ଆସିପାରିଲାନାହିଁ । ତେବେ ଏନେଇ କ୍ଷତିକ୍ଷତି ଆକଳନ କରିବାକୁ ଅଞ୍ଚଳକୁ ଆରଆଇ ପଠାଇବାକୁ ଦାବି କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା ଏବଂ ଗଣ୍ଠି ପୋକ ଲାଗିବାରୁ ଅନେକ ଚାଷୀଙ୍କ 40 ପ୍ରତିଶତ ଫସଲ ନଷ୍ଟ ହୋଇଯାଇଥିବା ରିପୋର୍ଟ ପଠାଯାଇଥିଲା l
ଏହାମଧ୍ୟ ପଢନ୍ତୁ.. ମିଳିଲା ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଭୋଟ ଦେବାକୁ ରାଜି ହେଲେ 22 ଖଣ୍ଡ ଗ୍ରାମବାସୀ - FARMERS DROP VOTE BOYCOTT DECISION
ବର୍ତ୍ତମାନ ସେହି ଚାଷୀମାନଙ୍କ ମୁଣ୍ଡରେ ଅଦିନିଆ ବର୍ଷା ଆହୁରୀ ବିପଦ ଆଣିଦେଇଛି l ଚାଷୀଙ୍କ ଅଭିଯୋଗ ଅନୁଯାୟୀ, 'ଗଣ୍ଠି ପୋକରୁ ରକ୍ଷା ପାଇ ଯାହା ଫସଲ ବଞ୍ଚିଯାଇଥିଲା ବର୍ତ୍ତମାନ ଅଦିନିଆ ବର୍ଷା ସାଙ୍ଗକୁ କରା ମାଡ଼ ସବୁତକ ଧାନ ଫସଲକୁ ନଷ୍ଟ କରିପକାଇଛି l' ଏଭଳି ସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବିଲରେ ନିଜ ଭାଗ୍ୟକୁ ଦୋଷ ଦେଉଥିବା କେବଳ ସାର ହୋଇଛି l ତେବେ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଜୟ କିଷାନ ଆନ୍ଦୋଳନ ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ.. ଆଖୁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ, ମିଳୁନି ଉଚିତ ମୂଲ୍ୟ - Sugarcane Farmers Facing Problem
ବର୍ତ୍ତମାନ ସମୟରେ ପୁରା ପ୍ରଶାସନ ସାଧାରଣ ନିର୍ବାଚନରେ ବ୍ୟସ୍ତ ରହିଥିବା ବେଳେ ଚାଷୀମାନେ ଏ ଅଫିସ ସେ ଅଫିସ ଧାଇଁ ଧାଇଁ ଶେଷରେ ଅସହାୟ ହୋଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଥିବା ଜଣାଇଛନ୍ତି ଆନ୍ଦୋଳନ କରିଥିଲା ଚାଷୀ l
ଇଟିଭି ଭାରତ, ବରଗଡ