ଓଡିଶା

odisha

ETV Bharat / state

ମଣ୍ଡିରେ ଉଠୁନି ଧାନ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ - PADDY PROCUREMENT IRREGULARITY

ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା । ପାରଳାଖେମୁଣ୍ଡି-ମୋହନା ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ । ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ।

ମଣ୍ଡିରେ ଉଠୁନାହିଁ ଧାନ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
ମଣ୍ଡିରେ ଉଠୁନାହିଁ ଧାନ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ (ETV Bharat Odisha)

By ETV Bharat Odisha Team

Published : Jan 19, 2025, 9:25 AM IST

ପାରଳାଖେମୁଣ୍ଡି:ଜାନୁଆରୀ ମାସ ଅଧା ହେଲାଣି ତଥାପି ମଣ୍ଡିରୁ ଉଠୁନାହିଁ ଧାନ । ବାରମ୍ବାର ଦାବି ପରେ ମଧ୍ୟ ଶୁଣୁନାହିଁ ପ୍ରଶାସନ । ଫଳରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଜଣେ ହେଲେ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି । ଏହାର ପ୍ରତିବାଦରେ ଚାଷୀମାନେ ଗତକାଲି (ଶନିବାର) ରାଜରାସ୍ତାକୁ ଓହ୍ଲାଇଥିଲେ । ସାତମାଇଲ ଛକରେ ଚାଷୀମାନେ ରାସ୍ତାରୋକ କରିବା ସହ ହୋହଲ୍ଲା କରିଥିଲେ । ଘଟଣା ସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ପାରଳାଖେମୁଣ୍ଡି ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଧାନ ଅତିଶୀଘ୍ର କିଣାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ଚାଷୀ ।

ମଣ୍ଡିରେ ଉଠୁନାହିଁ ଧାନ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ (ETV Bharat Odisha)

ବିକ୍ରି ହେଉନି ଧାନ, ରାଜରାସ୍ତାରେ ଚାଷୀ :


ଚାଷୀଟିଏ ବର୍ଷ ତମାମ ଖରା,ବର୍ଷା ଓ ଶୀତରେ କଠିନ ପରିଶ୍ରମ ଦ୍ବାରା କରିଥିବା ଫସଲ ଠିକ ଅମଳ ସମୟରେ ଦୈବୀ ଦୁର୍ବିପାକ ସେମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ଏବେ ପ୍ରଶାସନିକ ଅବହେଳା ସେମାନଙ୍କୁ ସଂପୂର୍ଣ୍ଣ ନିରାଶ କରିଛି ବୋଲି କହିଛନ୍ତି ଆନ୍ଦୋଳନକାରୀ ।ଏନେଇ ଚାଷୀ ଦାମୋଦର କହିଛନ୍ତି," ନଭେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲିବା କଥା । ହେଲେ ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ ମଣ୍ଡି ଉଦଘାଟନ ହୋଇଥିଲା । ମଣ୍ଡି ଖୋଲିବାରେ ପ୍ରାୟ ଦେଢ ମାସର ବିଳମ୍ବ ଯୋଗୁଁ ଚାଷୀମାନେ ନିଜ ଅମଳ ଧାନକୁ କ୍ଷେତରେ ପକାଇ ରଖିଥିବା ଧାନ ଅଦିନିଆ ବର୍ଷା ମାଡରେ ଭିଜି ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ମଣ୍ଡି ଉଦଘାଟନ ହୋଇଥିଲେ ମଧ୍ୟ ଧାନ କିଣାଯାଉନାହିଁ । ଯାହାର ପ୍ରତିବାଦରେ ଆମେ ରାଜରାସ୍ତାକୁ ଓହ୍ଲାଇଛୁ ।"

ମଣ୍ଡିରେ ଉଠୁନାହିଁ ଧାନ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ (ETV Bharat Odisha)

ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ:

ସାତମାଇଲ ଛକରେ ଚାଷୀ ରାସ୍ତାରୋକ କରିଥିଲେ । ଫଳରେ ପାରଳାଖେମୁଣ୍ଡି-ମୋହନା ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଘଟଣା ସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଚାଷୀମାନେ ଅଟକ ରଖିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ତହସିଲଦାର ଓ ଗୁରାଣ୍ଡି ଥାନା ପୋଲିସ ପହଞ୍ଚି ଆଲୋଚନା କରିବା ସହ ୩ଦିନ ମଧ୍ୟରେ ସେମାନଙ୍କ ଧାନ କିଣାଯିବା ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅଧିକାଂଶ ସ୍ଥାନରେ ମଣ୍ଡି ଖୋଲୁନାହିଁ, ଯେଉଁ କେତେକ ସ୍ଥାନରେ ମଣ୍ଡି ଖୋଲିଛି ସେଠାରେ ଧାନ କିଣାନଯାଇ ମିଲରଙ୍କ ପାଖକୁ ପଠାଯାଉଛି । ମିଲରମାନେ ବିଭିନ୍ନ ବାହାନା ଦେଖାଇ ଧାନ କିଣୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏହ ମଧ୍ୟ ପଢନ୍ତୁ...ଟୋକନ ମିଳିଥିଲେ ସୁଦ୍ଧା ଉଠିପାରୁନି ଧାନ, ମଣ୍ଡି ସମ୍ମୁଖରେ ଚାଷୀଙ୍କ ରାସ୍ତାରୋକ - PADDY PROCUREMENT

ଏହା ମଧ୍ୟ ପଢନ୍ତୁ...'ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ, FAQ ମାନର ଧାନ ଆଣନ୍ତୁ ଚାଷୀ' - KRUSHNA CHANDRA PATRA

ଏହା ମଧ୍ୟ ପଢନ୍ତୁ...ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ପ୍ରଶାସନର ପ୍ରତିଶ୍ରୁତି - PADDY PROCUREMENT IRREGULARITY

ଏମିତି କହିଲେ ଜିଲ୍ଲା ଯୋଗାଣ ଅଧିକାରୀ:

ଧାନ ବିକ୍ରିରେ ବିଳମ୍ବ ହେଉଥିବାରୁ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କହଛନ୍ତି," ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଗୋଷାଣି ବ୍ଲକରେ କିଛି ସମସ୍ୟା ରହିଛି । ଗୋଷାଣି ବ୍ଲକରେ ୨୫ଟି ମଣ୍ଡି ଖୋଲିବା କଥା କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୦ଟି ମଣ୍ଡି ହିଁ ଖୋଲା ଯାଇପାରିଛି । ତେଣୁ ଏହି ସମସ୍ୟା ଦେଖାଦେଇଛି । ଯେଉଁଥି ପାଇଁ ଚାଷୀମାନେ ଆନ୍ଦୋଳନ କରିଥିଲେ । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ । ଏପରିକି ଆସନ୍ତା ୩ଦିନ ମଧ୍ୟରେ ଚାଷୀଙ୍କ ସମସ୍ତ ଧାନ କିଣାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦିଆଯାଇଛି ।"

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details