କେନ୍ଦ୍ରାପଡା:ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ । ଯାହାକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଉପ କାରାଗାରରେ । ତେବେ ଦୁଇ ଦିନ ତଳେ ସୁସ୍ଥ ଥିବା ଲୋକଟି କିଭଳି ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ତେବେ ଏନେଇ ରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ୧୦ ତାରିଖରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଳିପୁର ଗାଁର ରଞ୍ଜନ ମଲିକଙ୍କୁ ଏକ ମାମଲାରେ ଗିରଫ କରାଯାଇଥିଲା । ତାଙ୍କୁ ବାରିମୂଳ ସ୍ଥିତ କେନ୍ଦ୍ରାପଡା ଉପ କାରାଗାରରେ ବିଚାରାଧିନ କଏଦୀ ଭାବେ ରଖାଯାଇଥିଲା। ତାଙ୍କ ପତ୍ନୀ ଗେହ୍ଲେଇ ମଲିକ ଯେ ରଞ୍ଜନଙ୍କ ଶ୍ୱଶୁର ଘର ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହାରେ ରହୁଥିଲେ । ତେବେ ଗତ ୧୫ ତାରିଖ ବୁଧବାର ଦିନ ସେ ତାଙ୍କ ପତ୍ନୀଙ୍କୁ ଜେଲରୁ ଫୋନ କରିଥିଲେ । ସେ ଫୋନ କରିବା ବେଳେ ତାଙ୍କ ଶରୀର ସୁସ୍ଥ ଥିବା କହିଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ରଞ୍ଜନ ରହୁଥିବା କେନ୍ଦ୍ରାପଡା ଉପ କାରାଗାରରୁ ଜଣେ କର୍ମଚାରୀ ଗେହ୍ଲେଇଙ୍କୁ ଫୋନ କରିଥିଲେ । କାରାଗାରରୁ ଫୋନ କରି ସେ କର୍ମଚାରୀ ଜଣଙ୍କ ରଞ୍ଜନ ଅସୁସ୍ଥ ଥିବା ସହ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପାଇଁ ଖବର ଦେଇଥିଲେ ।