ଖୋର୍ଦ୍ଧା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୁବନେଶ୍ବର ଲୋକସଭା ଅନ୍ତର୍ଗତ ୭ଟି ନିର୍ବାଚନମଣ୍ଡଳୀ ଯଥା ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ଜୟଦେବ, ଭୁବନେଶ୍ବର-ଏକାମ୍ର, ମଧ୍ୟ, ଉତ୍ତର ଏବଂ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀ ମୋଟ ୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଥ ସ୍ତରୀୟ ଇଭିଏମ ଓ ଭିଭିପ୍ୟାଟ ମେସିନ ନିର୍ଦ୍ଧାରିତ ସ୍ଥାନକୁ କଣ୍ଟେନର ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ଓ ବେଗୁନିଆ ପାଇଁ ଖୋର୍ଦ୍ଧା ଜିଲା ୱେର ହାଉସ ଠାରେ ମେସିନ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।
ସେହିପରି ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଚିଲିକା ଏବଂ ଜଟଣୀ ସମେତ ଜୟଦେବ, ଭୁବନେଶ୍ବର ତିନି ନିର୍ବାଚନ ମଣ୍ଡଳୀ ମୋଟ ୫ ନିର୍ବାଚନ ମଣ୍ଡଳୀର ଇଭିଏମ ଭିଭିପ୍ୟାଟ ରହିବ । କଡା ସୁରକ୍ଷା ବଳୟ ଭିତରେ ରିଟର୍ଣ୍ଣ ଅଫିସରଙ୍କ ଉପସ୍ଥିତିରେ ୬ ନିର୍ବାଚନ ମଣ୍ଡଳୀର ଏହି ମେସିନ ସ୍ଥାନାନ୍ତର ଚାଲିଛି । ମେସିନ ପହଞ୍ଚିବା ପରେ ଏହା ପୋଲିସ ସୁରକ୍ଷା ବଳୟରେ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସୂଚନା ଦେଇଛନ୍ତି ।
ଆସନ୍ତା ମାସ ୨୫ ତାରିଖରେ ଖୋର୍ଦ୍ଧା ଜିଲାରେ ଅନୁଷ୍ଠିତ ହେବ ନିର୍ବାଚନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଉକ୍ତ ଦିନ ଭୁବନେଶ୍ଵର ଲୋକସଭା ଓ ଆଠ ବିଧାନସଭା ମଣ୍ଡଳୀରେ ୧୯୦୭ ମତଦାନ କେନ୍ଦ୍ରରେ ହେବ ମତଦାନ । ବ୍ୟବହାର ହେବାକୁ ଥିବା ଇଭିଏମ ଓ ଭିଭିପ୍ୟାଟ ଲୋକସଭା ଅର୍ନ୍ତଗତ ମତଦାନ କେନ୍ଦ୍ର ନିମନ୍ତେ ୨୩୮୧ ବିୟୁ , ୨୩୮୧ ସିୟୁ ଅଫିସର ହେପାଜତରେ ରହିବ । ଯାହା ଶତକଡ଼ା ୧୨୫ ପ୍ରତିଶତ ଥିବା ଜଣାପଡ଼ିଛି ।