ଭୁବନେଶ୍ବର:ପୁଣିକ୍ରିପ୍ଟୋ ନିବେଶ ଆଳରେ ଠକେଇ । କମ୍ପ୍ୟୁଟର ଜ୍ଞାନ ନଥିବା ବ୍ୟକ୍ତିଙ୍କୁ ଠକେଇ କରି ଓଡ଼ିଶାରୁ ୧୫ କୋଟି ଟଙ୍କାର ଚୁନା ଲଗାଇଥିଲେ ଠକ । ଏହି ଠକେଇ କରିଥିବା ରାଜସ୍ଥାନର ବେଦ ପ୍ରକାଶ ଓ ଓଡ଼ିଶାର ସୁଧୀର ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ।
ଏନେଇ EOW ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, " ପୁରୀ, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରୁ ୧୫ କୋଟିର ଠକେଇ କରିଛନ୍ତି ଏହି ଠକ । ଲୋକଙ୍କୁ ଏମାନେ ଏକାଠି କରି ନାମିଦାମି ହୋଟେଲରେ କନଫରେନ୍ସ କରି ଏକଜୁଟ କରିବା ପରେ ସେମାନଙ୍କୁ କ୍ରିପ୍ଟୋ ନିବେଶରେ ଲୋଭ ଦେଖାଇ ଠକିନେଇଛନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାରୁ ୧୪କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଛନ୍ତି । ମାଷ୍ଟରମାଇଣ୍ଡ ବେଦ ପ୍ରକାଶର ଘର ରାଜସ୍ଥାନ ଅଞ୍ଚଳରେ ହୋଇଥିବାବେଳେ ସେ ରାଜସ୍ଥାନ ପୋଲିସର କନଷ୍ଟେବଳ ଭାବେ କାମ କରୁଥିଲେ । ପରେ ୫ବର୍ଷ ହେବ ସେ ଚାକିରିରୁ ବହିଷ୍କାର ହେବା ପରେ ଧିରେ ଧିରେ ଏପରି ଠକେଇର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।"
"ଓଡ଼ିଶାର ସୁଧୀର ପଟେଲଙ୍କ ସହ ମିଶି ଏଭଳି ଠକାମି କରୁଥିଲେ । ଏଥିପାଇଁ କିଛି କ୍ରିପ୍ଟୋ ଏଜେନ୍ସି କରି ନିବେଶ ପାଇଁ ଲୋକଙ୍କୁ କହୁଥିଲେ । ଇଏନଜି କ୍ରିପ୍ଟୋ( ENG Crypto), ଏନଟାଇସ କ୍ୟାପିଟାଲ (Entice Capital), ୟୁଏସଡିଟି କ୍ଲବ (USDT Club), ଆଡ୍ସ ଏକ୍ସଚେଞ୍ଜ (ADS Exchange) , କ୍ରିଟ୍ ୧୧ (CRIT 11) ଭଳି କ୍ରିପ୍ଟୋ ଏଜେନ୍ସି କରି ଭଲ ରିଟର୍ଣ୍ଣ ଦେବାର ଲୋଭ ଦେଇ ନିବେଶକଙ୍କଠୁ ଟଙ୍କା ନେଉଥିଲେ । ଏପରିକି ଜଣେ ଜଣେ ଲୋକଙ୍କଠୁ କୋଟିଏ ପର୍ଯ୍ୟନ୍ତ ନିବେଶ ପାଇଁ ନେଇ ଠକେଇ କରିଛନ୍ତି । ଜଣେ ନିବେଶକଙ୍କଠାରୁ ୪୮ଲକ୍ଷ ଟଙ୍କା ନେଇ ବଦଳରେ ମାତ୍ର ୨୦ ହଜାର ଟଙ୍କା ଫେରସ୍ତ ଦେଇଥିଲେ" ବୋଲି କହିଛନ୍ତି EOW ଏସପି ।