ଭୁବନେଶ୍ବର:ୟୁଜିସି ନିୟମ ମାନୁନାହାନ୍ତି ଉଚ୍ଚ ଶିକ୍ଷାନୁଷ୍ଠାନ । ଏନେଇ ଖିଲାପି ତାଲିକାରେ ରହିଛି ଭାରତର ଅନେକ ଶିକ୍ଷାନୁଷ୍ଠାନ। ଏପରିକି ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ବାଦ ପଡିନାହାନ୍ତି। ମାସ ମାସ ଧରି ବାରମ୍ବାର ତାଗିଦ ସତ୍ତ୍ବେ ଅନେକ ବିଶ୍ବବିଦ୍ୟାଳୟ ଲୋକପାଳ ନିଯୁକ୍ତ କରିନାହାନ୍ତି । ଏହାକୁ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ବବିଦ୍ୟାଳୟ ୟୁଜିସି ଛାତ୍ରଛାତ୍ରୀଙ୍କ ଅଭିଯୋଗ ସମାଧାନ ନିୟମାବଳୀ ୨୦୨୩ ଅନୁସାରେ ଲୋକପାଳ ନିଯୁକ୍ତ କରିବାରେ ବିଫଳ ହୋଇଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ତାଲିକା ଜାରି କରାଯାଇଛି ।
ତେବେ ଖିଲାପୀ ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାର ୧୧ଟି ସରକାରୀ ବିଶ୍ଵବିଦ୍ୟାଳୟ ସମେତ ଗୋଟିଏ ମାତ୍ର ଘରୋଇ ବିଶ୍ବବିଦ୍ୟାଳୟ ରହିଛି। ସେଗୁଡ଼ିକ ହେଲା- ଉତ୍କଳ ବିଶ୍ବବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ବିପିୟୁଟି, ଟ୍ରିପଲ ଆଇଟି, ଖଲ୍ଲିକୋଟ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ, ଓୟୁଟିଆର, ଓୟୁଏଟି, ରାଜେନ୍ଦ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ , ବୁର୍ଲା ବୀରସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ । ସେହିପରି ଖିଲାପି ଘରୋଇ ବିଶ୍ବବିଦ୍ୟାଳୟ ତାଲିକାରେ ଓଡ଼ିଶାର ଏକ୍ସଆଇଏମ୍ର ନାମ ରହିଛି ।
ଦେଶର ମୋଟ ୨୫୪ ସରକାରୀ ବିଶ୍ବବିଦ୍ୟାଳୟ, ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ୧୬୨ ଘରୋଇ ବିଶ୍ବବିଦ୍ୟାଳୟ, ୨ଟି ଡିମ୍ଡ ବିଶ୍ବବିଦ୍ୟାଳୟ ୟୁଜିସିର ନିର୍ଦେଶର ପାଳନ କରିନଥିବାରୁ ସମ୍ପୃକ୍ତ ଅନୁଷ୍ଠାନର ତାଲିକା ଜାରି କରାଯାଇଛି । ସେହିପରି ଲୋକପାଳ ନିଯୁକ୍ତ କରିଥିବା ସତ୍ତ୍ବେ ଯଦି କୌଣସି ବିଶ୍ବବିଦ୍ୟାଳୟର ନାମ ଖିଲାପି ତାଲିକାରେ ପ୍ରକାଶ ପାଇଥାଏ ତେବେ ଇ-ମେଲ୍ ମାଧ୍ୟମରେ ଜଣାଇବାକୁ ୟୁଜିସି ପକ୍ଷରୁ କୁହାଯାଇଛି ।