ଓଡିଶା

odisha

ETV Bharat / state

2024 ଫାଇଟ: ବଲାଙ୍ଗୀରରେ ହେବ ଉତ୍ତରାଧିକାରୀଙ୍କ ମଧ୍ୟରେ ଲଢ଼େଇ, କିଏ ମାରିବ ବାଜି ? - ବଲାଙ୍ଗୀର ନିର୍ବାଚନ ମଣ୍ଡଳୀ

Balangir Assembly Constituency: ଏଥର ନିର୍ବାଚନରେ ବଲାଙ୍ଗୀରର ଦୁଇ ପ୍ରମୁଖ ପରିବାର ମଧ୍ୟରେ ଲେଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ପରିବାର ହେଉଛନ୍ତି ବଲାଙ୍ଗୀର ରାଜା ପରିବାର ଓ ନରସିଂହ ମିଶ୍ରଙ୍କ ପରିବାର । ଅଧିକ ପଢ଼ନ୍ତୁ

2024 ଫାଇଟ
2024 ଫାଇଟ

By ETV Bharat Odisha Team

Published : Feb 3, 2024, 10:08 PM IST

2024 ଫାଇଟ

ବଲାଙ୍ଗୀର: ପାଖେଇ ଆସୁଛି ନିର୍ବାଚନ 2024 । ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି । ଦଳକୁ ମଜଭୁତ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କଲେଣି ରାଜ୍ୟର ପ୍ରମୁଖ ଦଳ । ଏହାରି ଭିତରେ ବଲାଙ୍ଗୀର ରାଜନୀତି ପାଣିପାଗରେ ଉଷ୍ମତା ଦେଖା ଦେଇଛି । ଏଥର ନିର୍ବାଚନରେ ବଲାଙ୍ଗୀରର ଦୁଇ ପ୍ରମୁଖ ପରିବାର ମଧ୍ୟରେ ଲେଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ପରିବାର ହେଉଛନ୍ତି ବଲାଙ୍ଗୀର ରାଜା ପରିବାର ଓ ନରସିଂହ ମିଶ୍ରଙ୍କ ପରିବାର । ଦୁଇ ପରିବାରର ନୂଆ ପିଢ଼ି ରାଜନୀତି ରଣାଙ୍ଗନଙ୍କୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ବଲାଙ୍ଗୀରର ରାଜନେତା ସାରା ଓଡ଼ିଶାରେ ପ୍ରଭାବ ଦେଖାଇ ଆସିଛନ୍ତି । ବଲାଙ୍ଗୀରର ରାଜ ପରିବାର ଓ ନରସିଂହ ମିଶ୍ର ରାଜନୀତିର ସଫଳ ଗୋଟି ଚାଳନାରେ ବେସ ସିଦ୍ଧହସ୍ତ । ଦୁଇ ପକ୍ଷ ରାଜନୈତିକ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାବରେ ଏଠି ରାଜନୀତି କରି ଆସୁଛନ୍ତି । ଅନେକ ଥର ନିର୍ବାଚନରେ ସଫଳ ହୋଇ ଏମାନେ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଏବେ ସେମାନେ ତାଙ୍କର ଉତ୍ତରାଧିକାରୀଙ୍କୁ ଏହି ରାଜନୀତିର ରଣକ୍ଷେତ୍ରକୁ ଆଣିଛନ୍ତି । ଯାହାଦ୍ୱାରା ଆଗକୁ ଏଠାରେ ନୂଆ ପିଢ଼ିର ରାଜନୀତି ଆରମ୍ଭ ହେବ । ତେବେ ବଲାଙ୍ଗୀର ଏହି ଦୁଇ ପ୍ରଭାବଶାଳୀ ଓ ସଫଳ ରାଜନେତା, ରାଜା ପରିବାର ଓ ନରସିଂହ ମିଶ୍ରଙ୍କ ପରିବାରର ମଙ୍ଗ ଏବେ ତାଙ୍କ ନୂଆ ପିଢ଼ି ଧରିବେ ।

ରାଜା ପରିବାରର ରାଜନୀତି:

ରାଜା ପରିବାରର ରାଜନୀତି ପାଟଣା ମହାରାଜ ତଥା ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ଠାରୁ ଆରମ୍ଭ ହୋଇଥିଲା । ଯିଏ ରାଜନେତା ଭାବରେ ସଫଳ ହେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ସେହିପରି ରାଜ ରାଜସିଂହ ଦେଓ ମଧ୍ୟ ରାଜନୀତିରେ ସଫଳ ହୋଇ 1971 ରେ ସଂସଦ ଯାଇଥିଲେ । ଏହାପରେ ରାଜା ପରିବାରରୁ ଅନଙ୍ଗ ଉଦୟ ସିଂହ ଦେଓ ପରବର୍ତ୍ତୀ ସମୟରେ ପାଞ୍ଚ ପାଞ୍ଚ ଥର ବଲାଙ୍ଗୀର ବିଧାନସଭାରୁ ନିର୍ବାଚନ ଜିତିଥିଲେ ।

ଅନଙ୍ଗ ଉଦୟ ସିଂହ ଦେଓ ଗତ 2019 ନିର୍ବାଚନରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରି ତାଙ୍କ ଉତ୍ତରାଧିକାରୀ ଭାବରେ ତାଙ୍କ ସାନ ପୁଅ ଅରକେଶ ନାରାୟଣ ସିଂହ ଦେଓଙ୍କୁ ନିର୍ବାଚନୀ ରଣକ୍ଷେତ୍ରକୁ ଆଣିଥିଲେ । ସେହିପରି ଏହା ପୂର୍ବରୁ ତାଙ୍କ ବଡ ପୁଅ କାଲିକେଶ ନାରାୟଣ ସିଂହ ଦେଓ ମଧ୍ୟ 2004 ରୁ ରାଜନୀତିରେ ପ୍ରବେଶ କରି ସଫଳତାର ପାହାଚ ଚଢି଼ ଚଢ଼ି ଯାଇଥିଲେ । ସେ ପ୍ରଥମେ ବଲାଙ୍ଗୀରର ସେସମୟର ସାଇଁତଲା ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ସେ ଦୁଇଥର ସାଂସଦ ଭାବରେ ନିର୍ବାଚନ ଲଢ଼ି ସଫଳ ହୋଇଥିଲେ ।

ତେବେ ଗତ 2019 ନିର୍ବାଚନରେ ଉଭୟ ଭାଇ କାଲିକେଶ ନାରାୟଣ ସିଂହ ଦେଓ ଓ ତାଙ୍କ ସାନ ଭାଇ ଅରକେଶ ନାରାୟଣ ସିଂହ ଦେଓ ନିର୍ବାଚନରେ ପରାଜିତ ହୋଇଥିଲେ । ହେଲେ ଏବେ ସେମାନେ ତାଙ୍କ ବାପାଙ୍କ ଭଳି ସଫଳ ହେବାକୁ ଉଦ୍ୟମ ଜାରି ରଖିଛନ୍ତି । ରାଜନୀତିରେ ରାଜା ପରିବାରର ଏହି ନୂଆ ପିଢ଼ି ଦୁଇ ଭାଇ ପୁଣି ରାଜନୀତିର ମଙ୍ଗ ଧରି ସଫଳ ହେବାକୁ ରାଜନୀତି ଆରମ୍ଭ କରିଛନ୍ତି । କାଲିକେଶ ନାରାୟଣ ସିଂହ ଦେଓ କହିଛନ୍ତି, "ତାଙ୍କ ପରିବାର ବଲାଙ୍ଗୀରର ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ରାଜନୀତି କରୁଛନ୍ତି । ସେ ଓ ତାଙ୍କ ଭାଇ ମଧ୍ୟ ସେହି ସେବା ଜାରି ରଖିବେ । ଲୋକଙ୍କ ଭଲ ପାଇବା ସମର୍ଥନ ତାଙ୍କ ସହିତ ଅଛି ଓ ରହିଥିବ । "

ନରସିଂହ ମିଶ୍ର:

ରାଜା ପରିବାର ପରେ ବଲାଙ୍ଗୀରର ଆଉ ଜଣେ ପ୍ରଭାବଶାଳୀ ନେତା ହେଉଛନ୍ତି ନରସିଂହ ମିଶ୍ର । ଯିଏ 2004 ରୁ ପ୍ରତ୍ୟକ୍ଷ ଭାବରେ ରାଜନୀତିକୁ ଆସିବା ସହିତ ଲୋଇସିଂହା ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ କଂଗ୍ରେସ ଦଳରେ ମିଶବା ପରେ ତାଙ୍କର ରାଜନୈତିକ ଚାଲ ସମସ୍ତ ଅଭିଜ୍ଞ ନେତାଙ୍କୁ ଅଡ଼ୁଆରେ ପକାଇଥିଲା । ପରେ ସେ ବଲାଙ୍ଗୀର ବିଧାନସଭା ମଣ୍ଡଳୀର ବିଜେଡି ଦଳର ରାଜା ପରିବାରର ସହ ପ୍ରତିଦ୍ବନ୍ଦିତା କରିବା ଆରମ୍ଭ କରିଥିଲେ । 2014 ନିର୍ବାଚନରେ ସେ ଅନଙ୍ଗ ଉଦୟ ସିଂହ ଦେଓଙ୍କୁ ପରାଜିତ କରି ବିଧାନସଭା ଯାଇଥିଲେ । ସେହିପରି 2019 ରେ ସେ ଅନଙ୍ଗ ଉଦୟ ସିଂହ ଦେଓଙ୍କ ସାନ ପୁଅ ଅରକେଶ ନାରାୟଣ ସିଂହ ଦେଓଙ୍କୁ ପରାଜିତ କରି ଦ୍ଵିତୀୟ ଥର ପାଇଁ ବିଧାନସଭା ଯାଇଛନ୍ତି । ହେଲେ ଏବେ ସେ ନିର୍ବାଚନ ଆଉ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ରାଜନୀତି ମୈଦାନକୁ ଆଣିଛନ୍ତି ।

ସେପଟେ ସମରେନ୍ଦ୍ର ମିଶ୍ର ଜଣେ ସଫଳ ଉଦ୍ୟୋଗୀ ଭାବରେ ସାରା ଭାରତରେ ପରିଚିତ । ସେ ଗତ 2019 ନିର୍ବାଚନରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସେ ତୃତୀୟ ସ୍ଥାନରେ ରହି ନିର୍ବାଚନରେ ପରାଜୟ ବରଣ କରିଥିଲେ । ଏବେ ଭାରତୀୟ ଜାତୀୟ କଂଗ୍ରେସ ଏଆଇସିସି ସଦସ୍ୟ ଥିବା ବେଳେ ପୁଣି ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କରିଛନ୍ତି । ସେ ମଧ୍ୟ ବାପାଙ୍କ ଭଳି ଲୋକଙ୍କର ଓ ବଲାଙ୍ଗୀରର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି । ସେହିପରି ବାପାଙ୍କ ଭଳି ଭୋଟର ତାଙ୍କୁ ମଧ୍ୟ ପସନ୍ଦ କରିବେ ବୋଲି ସେ କହିଛନ୍ତି । ସେ ତାଙ୍କ ବାପାଙ୍କ ଭଳି ରାଜାଘର ସଦସ୍ୟଙ୍କୁ ସିଧାସଳଖ ଟାର୍ଗେଟ କରିବା ମଧ୍ୟ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....'ମିଛ କହି ଭୋଟ ନେଇଥିବା ଚୋର ଧରାପଡ଼ିଛି'; ନୂଆ ଜିଲ୍ଲା ଗଠନରେ ହାଇକୋର୍ଟଙ୍କ ଅଙ୍କୁଶ ପରେ ତେଜିଲା ରାଜନୀତି

ବଲାଙ୍ଗୀର ପ୍ରତିଷ୍ଠିତ ରାଜନେତାଙ୍କ ନୂଆ ପିଢ଼ି ଏବେ ମଙ୍ଗ ଧରିବାକୁ ଆଗେଇ ଆସିଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, "ଏହି ଦୁଇ ପରିବାର ପାରମ୍ପରିକ ପ୍ରତିଦ୍ବନ୍ଦୀ ଅଟନ୍ତି । ପୂର୍ବରୁ ରାଜା ପରିବାରର ଉତ୍ତରାଧିକାରୀ ରାଜନୀତିକୁ ଆସି ସାରିଛନ୍ତି । ସେହିପରି ଏବେ ନରସିଂହ ମିଶ୍ରଙ୍କ ମଧ୍ୟ ଉତ୍ତରିଧାରୀ ମୈଦାନକୁ ଆସିଛନ୍ତି । ଗତ ନିର୍ବାଚନରେ ଏହି ନୂଆ ପିଢ଼ି ଭଲ ଭୋଟ ପାଇଥିଲେ । ଆଗକୁ ଏମାନେ ସଫଳ ହୋଇ ପାରନ୍ତି। ନିର୍ବାଚନ କେବଳ ବ୍ୟକ୍ତି ବିଶେଷ ନୁହେଁ ଦଳର ମଧ୍ୟ କିଛି ପ୍ରଭାବ ରହିଥାଏ । ତେଣୁ ଏହି ଉତ୍ତରାଧିକାରୀମାନଙ୍କ ମଧ୍ୟରୁ କିଏ ସଫଳ ହେବେ ତାହା ସମୟ ହିଁ କହିବ ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details