ଢେଙ୍କାନାଳ: ମହଙ୍ଗା ପଡ଼ିଲା ଭୋଜି ଖାଇବା । ଜନ୍ମଦିନ ଭୋଜି ଖାଇ ବ୍ୟାପିଲା ଝାଡ଼ାବାନ୍ତି । ଢେଙ୍କାନାଳ ଜିଲ୍ଲା ଚିତଲପୁର ଗ୍ରାମରେ ୫୦ରୁ ଉର୍ଧ୍ବ ଜନ୍ମଦିନ ଭୋଜିଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆଜି ଗାଁରେ ଡାକ୍ତରୀ ଟିମ ପହଞ୍ଚି ପରୀକ୍ଷା ଓ ଚିକିତ୍ସା ଜାରି ରଖିଛନ୍ତି । ତେବେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହିତ ଲୋକଙ୍କୁ ଔଷଧ ଏବଂ ଓଆରଏସ ପାଣି ପିଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଦଳ ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଚିତଲପୁର ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି । ଏହି ଗ୍ରାମର ୫୦ରୁ ଉର୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିତଲପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଖଜୁରିଆକଟା ଓ ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ପୁରୁଷ ଓ ବୃଦ୍ଧ ବୃଦ୍ଧା ଥିବା ଜଣାପଡିଛି। ଡାକ୍ତରଖାନା ମାନଙ୍କରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଆଜି ଖଜୁରିଆକଟା ଡାକ୍ତର ଖାନାରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଯାଇ ଚିତଲପୁରରେ ପହଞ୍ଚିଛନ୍ତି । ଏହି ଡାକ୍ତରୀ ଦଳ ଗ୍ରାମରେ ବିଭିନ୍ନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ନମୁନା ସଂଗ୍ରହ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଡାକ୍ତରୀଦଳ ସଜାଗ ଥିବା ସୂଚନା ଦେଇଛନ୍ତି ।