ନୂଆପଡା: ଗାଁକୁ ନାହିଁ ପାନୀୟ ଜଳ ଯୋଗଣା ବ୍ୟବସ୍ଥା । ଫେଲ ମାରିଛି ବସୁଧା ଯୋଜନା । ସରକାର ଗାଁ ଗାଁକୁ ପାଇପଲାଇନ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏଠି ଲୋକଙ୍କୁ ନଳକୂପ ଜଳ ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି । ନୂଆପଡା ଜିଲ୍ଲା ସିର୍ଲିର ମାକରଖଲିଆ ଗାଁରେ ଦେଖିବାକୁ ମିଳିଛି ସରକାରୀ ଯୋଜନାର ବାସ୍ତବ ଚିତ୍ର । ଏଠିକାର ଲୋକେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ବେଳେ, ଗାଁ ନିକଟସ୍ଥ ଚହଲା କୂଳରେ ଚୁଆଁ ଖୋଲି ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି । ଚୁଆଁର ଦୂଷିତ ପାଣି ପିଇ ଅନେକ ସମୟରେ ଲୋକ ଅନେକ ରୋଗରେ ପୀଡିତ ମଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ।
ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 120 କିଲୋମିଟର ଦୂରତାରେ ଅବସ୍ଥିତ ସିର୍ଲିମାକରଖଲିଆ ଗାଁ । ଗାଁରେ ସରକାରଙ୍କ ବସୁଧା ଯୋଜନା ଏବଂ ହରଘର ନଳ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗାଁରେ ଥିବା ନଳକୂପ ମଧ୍ୟ ବ୍ୟବହାରରେ ଆସୁନି । ଫଳରେ ପାଣି ସମସ୍ୟା ନେଇ ଲୋକେ ସରପଞ୍ଚଠୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ବି ସବୁ ଯେମିତି ନିରବଦ୍ରଷ୍ଟା ପାଲଟିଛନ୍ତି । ସେପଟେ ଦୂଷିତ ପାଣି ଲୋକେ ଅନେକ ଅଜଣା ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ହେଲେ ତାଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରପଞ୍ଚ, ସମିତି ସଭ୍ୟ,ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ସେମାନେ ଧ୍ୟାନ ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଗକୁ ପ୍ରଚଣ୍ଡ ଖରା ଆସୁଥିବା ବେଳେ ପିଇବା ପାଣି ପାଇଁ ଗାଁଙ୍କୁ ଚିନ୍ତା ମାଡ଼ି ବସିଲାଣି ।